ନବରଙ୍ଗପୁରରେ ରହିଛି ବ୍ରିଟିଶ ଅମଳର ଜେଲ । ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ଗଲାଣି ସ୍ୱାଧୀନତା ସଂଗ୍ରାମର ବାର୍ତ୍ତାବହନ କରୁଥିବା ଜେଲ । ପୁନଃରୁଦ୍ଧାର ପାଇଁ ଜୋରଧରିଲା ଦାବି ।

149

କନକ ବ୍ୟୁରୋ: ବର୍ଷ ବର୍ଷ ଧରି ବିଦେଶୀଙ୍କ କବଳରେ ଥିବା ଭାରତକୁ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିଲା ସ୍ୱାଧୀନତା ସଂଗ୍ରାମ । ଏହି ସଂଗ୍ରାମରେ ସାମିଲ ହୋଇଥିଲେ ନବରଙ୍ଗପୁର ଜିଲ୍ଲାର ଶହ ଶହ ସଂଗ୍ରାମୀ । ନିଜ ଭିତରେ ଜାତୀୟତାର ବହ୍ନି ଏତେ ପ୍ରବଳ ଥିଲା ଯେ, କାରାଗାର ବରଣ କରିବା ସହିତ ଜୀବନ ବଳିଦାନ ଦେବାକୁ ପଛାଇ ନଥିଲେ । ସେହି ବୀରଙ୍କ ବିରତ୍ୱର ଗାଥା ବହନ କରେ, ନବରଙ୍ଗପୁର ଜିଲ୍ଲା ଟ୍ରେଜେରୀ ପାଖରେ ଥିବା ବ୍ରିଟିଶ ଅମଳର ପୁରୁଣା ଜେଲ । ଜେଲର ପ୍ରତ୍ୟେକ ମାଟି କଣିକା କହେ ଜେଲ ଦଣ୍ଡ ଭୋଗିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱର ଗାଥା । ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସ୍ୱର୍ଣ୍ଣିମ ସ୍ୱାଧୀନତା ସଂଗ୍ରାମର ମୁକସାକ୍ଷୀ ଏବେ ମାଟିରେ ମିଶିବାକୁ ବସିଲାଣି । ଜେଲର କାନ୍ଥ ସବୁ ଭାଙ୍ଗି ରୁଜି ଗଲାଣି, ଅନାବନା ଗଛରେ ଜଙ୍ଗଲ ପାଲଟି ଗଲାଣି ।

୧୯୩୦ରେ ତିଆରି ହୋଇଥିଲା ଏହି ଜେଲ । ଏହାର ଇତିହାସ ଅତି କଠୋର । ଜେଲରେ ଥିବା ୧୨ଟି ୱାର୍ଡରେ ଅଢେଇ ଶହରୁ ଅଧିକ ସ୍ୱାଧିନତା ସଂଗ୍ରାମୀଙ୍କୁ ରଖି ଦଣ୍ଡ ଦେଉଥିଲେ ବ୍ରିଟିଶର । ଭୋକ ଉପାସରେ ୭ ଜଣ ସଂଗ୍ରାମୀ ଏଇଠି ହିଁ ସହିଦ ହୋଇଥିଲେ । ଗୋରା ସରକାର, ସଂଗ୍ରାମୀଙ୍କୁ ସଜା ଶୁଣାଇବା ପରେ କୋରାପୁଟ ଏବଂ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର କରୁଥିଲେ । ଅନେକ ସଂଗଠନ ଏହାକୁ ଏକ ଜାତୀୟ ସ୍ମାରକୀ କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଛନ୍ତି । ସହିଦଙ୍କ ସ୍ମୁତି ଏବଂ ସମ୍ମାନ ପାଇଁ ଏହାର ରକ୍ଷଣାବେକ୍ଷଣ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି ବିଧାୟକ ମନୋହାର ରନ୍ଧାରୀ ।

ଖାଲି ସେତିକି ନୁହେଁ ନବରଙ୍ଗପୁରର ସଦାଶିବ ତ୍ରିପାଠୀ, ବିପ୍ଳବୀ ସୋନୁ ମାଝୀ, ବଗା ପୂଜାରୀ , ମହମ୍ମଦ ବାଜି, ଜଗନ୍ନାଥ ତ୍ରିପାଠୀ ଓ ମିରୁ ହରିଜନଙ୍କ ପରି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇ ଦିଏ ଜେଲର ରୁଦ୍ଧ ଦ୍ୱାର କୋଠରୀ । ତେଣୁ ସଂଗ୍ରାମୀଙ୍କ ବୀରତ୍ୱର ଇତିହାସ ବହନ କରୁଥିବା ଏହି ଜେଲକୁ ମରାମତି କରି ସଂଗ୍ରହାଳୟ କରିବାକୁ ଦାବି ହେଉଛି ।