ନାଗରିକତା ଆନ୍ଦୋଳନରେ ଗଲା ତିନି ଜୀବନ : ପୁଲିସ ଗୁଳିରେ ମାଙ୍ଗାଲୁରର ଦୁଇ, ଲକ୍ଷ୍ନୌର ଜଣେ ପ୍ରତିବାଦକାରୀ ମୃତ

ମାଙ୍ଗାଲୁରରେ ମଧ୍ୟରାତ୍ରି ଯାଏଁ କର୍ଫ୍ୟୁ ଜାରି, ସେପଟେ ଅହମ୍ମଦାବାଦରେ ୧୯ ପୁଲିସ କର୍ମଚାରୀ ଆହତ

84

କନକ ବ୍ୟୁରୋ: ସିଏଏ ବିରୋଧରେ ୟୁପିରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି । ଦେଶରେ ଗତକାଲି ସିଏଏ ବିରୋଧୀ ଆନ୍ଦୋଳନରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ପୁଲିସ ଗୁଳିରେ ମାଙ୍ଗାଲୋରରେ ୨ ଓ ଲକ୍ଷ୍ନୌରେ ଜଣେ ଆନ୍ଦୋଳନକାରୀ ପୁଲିସ ଗୁଳି ପ୍ରାଣ ହରାଇଥିବା ସୂଚନା ମିଳିଛି । ୟୁପିର ରାଜଧାନୀ ଲକ୍ଷ୍ନୌ ଓ ସମ୍ଭଲର ଆନ୍ଦୋଳନକାରୀ ବ୍ୟାପକ ପୋଡାଜଳା କରିଛନ୍ତି । ହଜାର ହଜାର ଆନ୍ଦୋଳନକାରୀ ହିଂସାକାଣ୍ଡ ଘଟାଇବାରୁ ପରିସ୍ଥିତି ଅଣାୟତ ହୋଇପଡିଛି । ଆନ୍ଦୋଳନ ଉଗ୍ର ହେବାରୁ ମୁହାଁମୁହିଁ ହୋଇଛନ୍ତି ପୁଲିସ ଓ ପ୍ରତିବାଦକାରୀ । ଲୋକେ ଟେକାପଥର ମାଡ କରିିବାରୁ ପୁଲିସ ଲାଠିଚାର୍ଜ କରିଛି । ଏଥିସହ ପୁଲିସ ଗୁଳିରେ ଜଣେ ବିକ୍ଷୋଭକାରୀର ମୃତ୍ୟୁ ହୋଇଛି ।

ସେହିପରି ମାଙ୍ଗାଲୁରରେ ମଧ୍ୟ ଉଗ୍ର ପ୍ରତିବାଦ ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ତେବେ ଉତ୍ୟକ୍ତ ଭିଡକୁ ନିୟନ୍ତ୍ରଣ କରି ପୁଲିସ ଗୁଳିମାଡ କରିଥିଲା, ଯେଉଁଥିରେ ୨ ଜଣ ପ୍ରତିବାଦକାରୀଙ୍କ ଜୀବନ ଯାଇଛି । ଏହାପରେ ଆଜି ରାତ୍ରି ଯାଏଁ ମାଙ୍ଗାଲୁରରେ କର୍ଫ୍ୟୁ ଜାରି କରାଯାଇଛି । ଏପରି କି ପୁଲିସ ଆନ୍ଦୋଳନକାରୀଙ୍କୁ ଗୋଡେଇ ଗୋଡେଇ ନିର୍ଦ୍ଦୟ ଭାବେ ପିଟୁ ଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସେହିପରି ଗୁଜରାଟର ଅହମ୍ମଦାବାଦରେ ମଧ୍ୟ ନାଗରିକତା ସଂଶୋଧନ ଆଇନ ବିରୋଧୀ ବିକ୍ଷୋଭ ହିଂସାତ୍ମକ ରୁପ ନେଇଛି । ପୁଲିସ ଓ ଉତ୍ୟକ୍ତ ଜନତା ମୁହାଁମୁହିଁ ହୋଇଛନ୍ତି । ପୁଲିସର ଲାଠି ମାଡରେ ବହୁ ଲୋକ ଆହତ ହୋଇଥିବା ବେଳେ ଲୋକଙ୍କ ଟେକାପଥର ମାଡରେ ଆହତ ହୋଇ ୧୯ ଜଣ ପୁଲିସ କର୍ମଚାରୀ ମେଡିକାଲରେ ଭର୍ତି ହୋଇଛନ୍ତି ।