ଅପରାଜେୟ ନବୀନ । ବିରୋଧୀଙ୍କ ଚକ୍ରବ୍ୟୁହ ଭେଦ କରି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ବିଜେଡି ସୁପ୍ରିମୋ । 

56

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ଅନେକ ରେକର୍ଡ ଭାଙ୍ଗିଛି ଓ ଅନେକ ରେକର୍ଡ ପୁଣିଥରେ ରାଜନୀତି ପୃଷ୍ଠାରେ ଲେଖାଯାଇଛି । ଗୋଟିଏ ପଟେ ଦେଶରେ ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣିଥରେ କ୍ଷମତାକୁ ଆସିଛି ଆଉ ଅନ୍ୟପଟେ ରାଜ୍ୟରେ ନବୀନ ଦେଖାଇଛନ୍ତି ନିଜର ରାଜନୈତିକ ପାରଦର୍ଶିତା । ପଞ୍ଚମ ଥର ପାଇଁ ଏକାକୀ ସରକାର ଗଢିବାକୁ ସଂଖ୍ୟା ହାସଲ କରିବା ସହ ରେକର୍ଡବହିରେ ନିଜର ନାଁ ଲେଖାଇଛନ୍ତି ବିଜେଡି ସୁପ୍ରିମୋ ।

ଦୀର୍ଘ ୧୯ ବର୍ଷ କ୍ଷମତାରେ ରହିବା ପରେ ବି ମଳିନ ପଡିନି ନବୀନଙ୍କ କ୍ରେଜ୍ । ପୁଣିଥରେ ନବୀନ ଓ ତାଙ୍କ ଦଳ ବିଜେଡିକୁ ଅଜସ୍ର ଆଶୀର୍ବାଦ ଅଜାଡି ଦେଇଛି ଓଡିଶା । ୨୦୧୯ ନିର୍ବାଚନରେ ପୁଣିଥରେ ରାଜ୍ୟରେ ଓଡିଶାବାସୀଙ୍କ ଆସ୍ଥା ଭାଜନ ହୋଇପାରିଛି ନବୀନଙ୍କ ବିଜୁ ଜନତା ଦଳ । ମୋଦି ମ୍ୟାଜିକକୁ ପ୍ରତିହତ କରି ଏକାକୀ ପ୍ରଚାରର ମଙ୍ଗ ଧରିଥିବା ନବୀନ, ଦଳ ପାଇଁ ଆଣିଦେଇଛନ୍ତି ଏକତରଫା ବିଜୟ । ଆଉ ୧୯ ମହାଯୁଦ୍ଧର ଫଳାଫଳରେ କେନ୍ଦ୍ରୀୟ ରାଜନୀତି ଶିବିରକୁ ମଧ୍ୟ ଆଚମ୍ବିତ କରିଛନ୍ତି ।

ବର୍ତମାନ ପର୍ଯ୍ୟନ୍ତ ନବୀନଙ୍କ ତୁଳନାରେ ଅରୁଣାଚଳରେ ଗେଗଙ୍ଗ ଅପାଙ୍ଗ, ମିଜୋରାମରେ ଲାଲ ଥାନୱାଲା, ହିମାଚଳରେ ବୀରଭଦ୍ର ସିଂ ଓ ତ୍ରିପୁରାରେ ମାଣିକ ସରକାର ଅଧିକ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିବାର ରେକର୍ଡ କରିଛନ୍ତି । ହେଲେ ୧୯୯୪ରୁ ସିକିମରେ କ୍ଷମତାରେ ରହିଆସିଥିବା ମୁଖ୍ୟମନ୍ତ୍ରୀ ପବନ ଚାମଲିଙ୍ଗଙ୍କ ଦଳ ଏସଡିଏଫ ହାତରୁ କ୍ଷମତା ଛଡାଇ ନେଇଛି ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା । ଫଳରେ ୨୪ ବର୍ଷରେ ସୀମିତ ରହିଯାଇଛି ଏସଡିଏଫ ମୁଖ୍ୟ ପବନ ଚାମଲିଙ୍ଗଙ୍କ ମୁଖ୍ୟମନ୍ତ୍ରୀତ୍ୱ । ପଶ୍ଚିମବଙ୍ଗରେ ୨୩ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ ବୁଦ୍ଧଦେବ ଭଟ୍ଟାଚାର୍ୟ୍ୟ । ଓଡିଶାରେ ନବୀନ ତାଙ୍କ ପଂଚମ ପାଳି  ପୁରାକଲେ ଏସବୁ ରେକର୍ଡକୁ ଭାଙ୍ଗିଦେବେ ।

ସବୁଠାରୁ ବଡକଥା ହେଉଛି ୨୦୧୭ ପଂଚାୟତ ନିର୍ବାଚନ ଫଳାଫଳ ରାଜ୍ୟବାସୀଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା । ସାଧାରଣ ନିର୍ବାଚନରେ ବିଜେଡି ଆଉ ସରକାର ଗଢିବାକୁ ସଂଖ୍ୟା ପାଇବ କି ନା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବିଜେଡି ଛାଡି ବିଜେପିରେ ଯୋଗ ଦେଉଥିବା ତୁଙ୍ଗନେତା ବିଜେଡି ବିରୋଧୀ ସ୍ୱରକୁ ଆହୁରି ତୀବ୍ର କରିଥିଲେ । ହେଲେ ପଂଚାୟତ ନିର୍ବାଚନ ଫଳାଫଳକୁ ନବୀନ କେବଳ ଗମ୍ଭୀର ଭାବେ ଗ୍ରହଣ କଲେ ତାହାନୁହେଁ, ବରଂ ନିଜ ଭାବମୂର୍ତି ସଜାଡିବାକୁ ଅନେକ କୌଶଳ ମଧ୍ୟ ଆପଣାଇଥିଲେ । ଯାହାର ପରିଣାମ ଇଭିଏମରେ ଭୋଟ୍ ଗଣତିବେଳେ ସାମ୍ନାକୁ ଆସିଥିଲା।

ଏସବୁ ଭିତରେ ଭାରତ ଇତିହାସରେ ପ୍ରଥମ ଥର ପାଇଁ କୌଣସି ସରକାର ଲଗାତର ପଞ୍ଚମ ଥର କ୍ଷମତାକୁ ଆସିବା ବେଳେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ଜିତିନଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ କ୍ଷେତ୍ରରେ ରେକର୍ଡ କରିଛନ୍ତି। ପଞ୍ଚମ ଥରରେ ବିଜେଡି ୧୪୬ ଆସନରୁ ୧୧୨ଟି ଦଖଲ କରିଛି। ପରେ ପାଟକୁରା ଆସନକୁ ମଧ୍ୟ ଜିତି ନେଇ ଏହି ସଂଖ୍ୟା ୧୧୩ରେ ପହଞ୍ଚାଇଛି । ଯାହା ଦର୍ଶାଉଛି ନବୀନ ଏବେ ମଧ୍ୟ ଓଡିଶାରେ ଅପରାଜେୟ ।