ପ୍ଲାଷ୍ଟିକ ଦିଅନ୍ତୁ, ପେଟପୂରା ଖାଆନ୍ତୁ। ଗୁଜରାଟ ଜୁନାଗଡରେ ଖୋଲିଲା ପ୍ରାକୃତିକ ପ୍ଲାଷ୍ଟିକ କ୍ୟାଫେ।

179

କନକ ବ୍ୟୁରୋ: ଗୁଜରାଟର ଏଭଳି ଗୋଟିଏ କ୍ୟାଫେ ତିଆରି ହୋଇଛି ଯେଉଁଠି ପ୍ଲାଷ୍ଟିକ ବଦଳରେ ଖାଦ୍ୟ ଖାଇବା ପାଇଁ ଦିଆଯାଉଛି । ସାରା ଦେଶରେ ଜୁଲାଇ ୧ ତାରିଖରୁ ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ତେବେ ଏହାରି ଭିତରେ ଗୁଜରାଟରେ ଏହି କ୍ୟାଫେ ଗଢିଉଠିଛି ଯେଉଁଠାରେ ପ୍ଲାଷ୍ଟିକ ଆବର୍ଜନା ବଦଳରେ ଖାଦ୍ୟ ପରସାଯାଉଛି । ଜୁନାଗଢରେ ପ୍ରାକୃତିକ ପ୍ଲାଷ୍ଟିକ କ୍ୟାଫେ ନାଁରେ ଏହା ଉଦଘାଟିତ ହୋଇଛି । ଜୁନ ୩୦ ତାରିଖରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏହାକୁ ଉଦଘାଟନ କରିଛନ୍ତି । ଜିଲ୍ଲା ପ୍ରଶାସନର ଦ୍ୱାରା ଏହାର ଶୁଭାରମ୍ଭ କରାଯାଇଛି ।

କ୍ୟାଫେର ପରିଚାଳନା ଦାୟିତ୍ୱ ସର୍ବୋଦୟ ସଖୀ ମଣ୍ଡଳ ଦ୍ୱାରା କରାଯାଉଛି । ମହିଳାଙ୍କର ଗୋଟିଏ ଗୋଷ୍ଠୀ ପୂରା ପରିଚାଳନାର ଭାର ନିଜ ହାତରେ ନେଉଛନ୍ତି । କୃଷକଙ୍କ ସହ ଏମାନେ ମିଳିତ ଭାବେ ଚୁକ୍ତି କରିଛନ୍ତି । ଜିଲ୍ଲା ପ୍ରଶାସନ ଦ୍ୱାରା ଏଥିପାଇଁ ଜାଗା ଏବଂ ଅନ୍ୟ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦିଆଯାଇଛି । ଜୁନାଗଡର ଜିଲ୍ଲାପାଳ ରଚିତ ରାଜ କହିଛନ୍ତି, ଆମକୁ ସ୍ୱଚ୍ଛ ଏବଂ ସୁନ୍ଦର ଜୁନାଗଡକୁ ଆଗେଇ ନେବାକୁ ପଡିବା ପ୍ରଥମ ପର୍ଯ୍ୟାୟରେ ଆମେ ୫ ଶହ ଗ୍ରାମ ପ୍ଲାଷ୍ଟିକ ବଦଳରେ ଗୋଟିଏ ଗ୍ଲାସ ଲେମ୍ବୁ ରସ ପ୍ରଦାନ କରୁଛୁ । ୧ କିଲୋ ପ୍ଲାଷ୍ଟିକ ପାଇଁ ଆମେ ଗୋଟିଏ ପ୍ଲେଟ ଢୋକଲା କିମ୍ବା ପୋହା ଖାଇବାକୁ ଦେଉଛୁ । ଯେଉଁ ପରିମାଣର ପ୍ଳାଷ୍ଟିକ ଆସିବ ଖାଦ୍ୟର ପରିମାଣ ସେହିଭଳି ବୃଦ୍ଧି ପାଇବ ।

ପାନ, ଠାରୁ ନେଇ ଅଞ୍ଜିର ଏବଂ ବେଲର ପଣା ଭଳି ଅନେକ ଫଳ ରସ ପ୍ରଦାନ କରାଯାଉଛି । ଏସବୁକୁ ମାଟିପାତ୍ରରେ ପରସା ଯାଉଛି । ସେହିଭଳି କାଠିଆୱାଡାର ସ୍ୱତନ୍ତ୍ର ଖାଦ୍ୟ, ଗୁଜରାଟ ପ୍ଲାଟର୍ସ ମଧ୍ୟ ମାଟିର ପାତ୍ରରେ ପ୍ରଦାନ କରାଯାଉଛି । ଜିଲ୍ଲା ପ୍ରଶାସନ ଗୋଟିଏ ଏଜେନ୍ସିକୁ ପ୍ଲାଷ୍ଟିକ କିଣିବା କାମ ଦେଇଛି ।