ଶିଳ୍ପପତି ଗୌତମ ଅଦାନୀଙ୍କ ମୁନ୍ଦ୍ରା ବନ୍ଦରରୁ ପୁଣି ୩୭୫ କୋଟି ଟଙ୍କାର ଡ୍ରଗ୍ସ ଜବତ, ଆରବ ଦେଶକୁ ଡ୍ରଗ୍ସ ପଠାଇବାକୁ ମାଫିଆ କରିଥିଲେ ଏଭଳି ବନ୍ଦୋବସ୍ତ

687

କନକ ବ୍ୟୁରୋ : ଦେଶକୁ ଡ୍ରଗ୍ସ ଆସିବା ଓ ଦେଶରୁ ଡ୍ରଗ୍ସ ବାହାର ଦେଶକୁ ଯୋଗାଣ ହେବାରେ ଏବେ ଏକ ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି ଗୁଜରାଟର କଚ୍ଛ ଉପତ୍ୟାକାରେ ଥିବା ଶିଳ୍ପପତି ଗୌତମ ଆଦାନୀଙ୍କ ମୁନ୍ଦ୍ରା ବନ୍ଦର । ଗତ କିଛିବର୍ଷ ମଧ୍ୟରେ ମୁନ୍ଦ୍ରା ବନ୍ଦର ଦେଇ କଚ୍ଛର ସମୁଦ୍ରାଞ୍ଚଳ ରାସ୍ତାରେ ବିଭିନ୍ନ ସାମଗ୍ରୀ ସହ ଡ୍ରଗ୍ସ ଆସୁଛି ବା ବାହାର ଦେଶକୁ ଯୋଗାଣ ହେଉଛି । କିଛିଦିନ ତଳେ ପାକିସ୍ତାନରୁ ଆସୁଥିବା ହେରୋଇନ ଜବତ ହୋଇଥିଲା । କଚ୍ଛ ଠାରେ ମାଦକ ଦର୍ବ୍ୟର ଚୋରା ଚାଲାଣ ପାଇଁ ସବୁବେଳେ ଅର୍ନ୍ତରାଷ୍ଟ୍ରୀୟ ମାଫିଆମାନେ ଚେଷ୍ଟା ଚଳାଇଛନ୍ତି । ଏହି କ୍ରମରେ ସୋମବାର ଦିନ ଗୁଜରାଟ ଏଟିଏସ ଦ୍ୱାରା ମୁନ୍ଦ୍ରା ବନ୍ଦରରୁ ବହୁମାତ୍ରାର ଡ୍ରଗ୍ସ ଜବତ କରାଯାଇଛି । ଏହି ଡ୍ରଗ୍ସର ଆନୁମାନିକ ମୂଲ୍ୟ ୩୭୬.୫ କୋଟି ଟଙ୍କା ଆକଳନ କରାଯାଇଛି ଓ ଏହାର ଓଜନ ରହିଛି ୭୫.୩ କିଲୋଗ୍ରାମ ।

ଗୁଜରାଟ ଏଟିଏସର ଉପ ମହାନିରୀକ୍ଷକ ଦୀପନ ଭଦ୍ରାଙ୍କୁ ପଞ୍ଜାବ ପୋଲିସ ଅଧିକାରୀଙ୍କ ତରଫରୁ ସୂଚନା ମିଳିଥିଲା କି, ମୁନ୍ଦ୍ରା ବନ୍ଦରରେ ୧ ରୁ ଦେଢମାସ ହେବ ଏକ କଣ୍ଟେନର ପଡିରହିଛି । ଏଥିରେ କିଛି ମାଦକ ପଦାର୍ଥ ଥିବାର ଆଶଂକା କରାଯାଉଛି । ଏଭଳି ସୂଚନା ପାଇବା ପରେ ମୁନ୍ଦ୍ରାର ଗୁଜରାଟ ଏଟିଏସ ପକ୍ଷରୁ କଣ୍ଟେନର ଉପରେ ଚଢାଉ କରାଯାଇଥିଲା । ଚଢାଉ ବେଳେ କଣ୍ଟେନରରୁ ୪ ହଜାର କିଲୋଗ୍ରାମର କପଡା ଥିଲା । ଏହି କପଡା ଖୋଲିବା ପରେ ସେଥିରେ ୭୫.୩ କିଲୋଗ୍ରାମର ଡ୍ରଗ୍ସ ମିଳିଛି ।

ଏଟିଏସ ତରଫରୁ କୁହାଯାଇଛି କି ଫରେନସିକ ଲାବ୍ରୋଟାରୀରେ ଏହି ଡ୍ରଗ୍ସର ପରୀକ୍ଷଣ ପରେ ଏହା ହାଇ କ୍ୱାଲିଟର ହେରୋଇନ ବୋଲି ଜଣାପଡିଛି । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଏହାର ଆନୁମାନିକ ମୂଲ୍ୟ ୩୭୬.୫ କୋଟି ଟଙ୍କା ହେବ ବୋଲି ଏଟିଏସ ତରଫରୁ ଆକଳନ କରାଯାଇଛି ।