ସୋସିଆଲ୍ ମିଡିଆରେ ଟ୍ରେଣ୍ଡ । ବିଜେଡି ନେତାଙ୍କ ଶଙ୍ଖ ମୋର ଗର୍ବ ପୋଷ୍ଟ । କଟାକ୍ଷ କଲେ ବିରୋଧୀ ବିଜେପି, କଂଗ୍ରେସ ।

135

କନକ ବ୍ୟୁରୋ: ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ଚିହ୍ନର କେମିତି ବ୍ରାଣ୍ଡିଂ ହେବ, ସେଥିପାଇଁ ଜୋରଦାର କ୍ୟାମ୍ପେନ ଆରମ୍ଭ କରିଛି ଦଳ । ଦଳର ସବୁ ବିଧାୟକ, ସାଂସଦ ଓ ମନ୍ତ୍ରୀ ଏଥିପାଇଁ ଲାଗି ପଡିଛନ୍ତିି । ଶଙ୍ଖ ଚିହ୍ନର ପ୍ରଚାର ପ୍ରସାର ପାଇଁ ଶଙ୍ଖ ମୋର ଗର୍ବ ବୋଲି ସମସ୍ତେ ଏକସ୍ୱରରେ କହୁଛନ୍ତି । କିନ୍ତୁ ବିଜେଡିର ଏହି କ୍ୟାମ୍ପେନକୁ ବିରୋଧୀ କଟାକ୍ଷ କରିଛନ୍ତି ।

କିଛି ଦିନ ହେଲା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ଶାସକ ଦଳ ବିଜେଡିର କ୍ୟାମ୍ପେନ । ବିଧାୟକଠାରୁ ଆରମ୍ଭ କରି ମନ୍ତ୍ରୀ, ସାଂସଦ ଓ ନେତା ଏକସ୍ୱରରେ କହୁଛନ୍ତି ଶଙ୍ଖ ସେମାନଙ୍କ ଗର୍ବ । ଟୁଇଟର, ଫେସବୁକ୍, ଇନଷ୍ଟାଗ୍ରାମରେ ଛାଇଯାଇଛି ଭିଡିଓ । ବିଜେଡିର ୨୫ ବର୍ଷ ଇତିହାସରେ, ଆଗରୁ ଏଭଳି କ୍ୟାମ୍ପେନ ଦେଖିବାକୁ ମିଳିନଥିଲା । ହେଲେ ସମୟ ବଦଳିବା ସହ କ୍ୟାମ୍ପେନର ଏହି ନୂଆ ଫର୍ମୁଲାକୁ ଆପଣାଇଛି ଦଳ । ଯାହାକୁ ନେଇ ଚର୍ଚ୍ଚା ବଢ଼ୁଥିବାବେଳେ ଦଳୀୟ ନେତା କହିଛନ୍ତି, କେମିତି ଘରେ ଘରେ ଶଙ୍ଖ ଚିହ୍ନ ପହଁଚିବ ସେହି ରଣନୀତି ନେଇ ଆଗଉଛି ବିଜେଡି ।

ବିଜେଡି ନେତାମାନେ ଶଙ୍ଖକୁ ମୋ ଗର୍ବ କହି କ୍ୟାମ୍ପେନ କରୁଥିବାବେଳେ, ଏହା ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଆଉ ବିରୋଧୀ ମାନେ ନିଜ ନିଜ ଢ଼ଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ବାବୁରୁ ନେତା ବନିଥିବା ବିଜୟ ପଟ୍ଟନାୟକ କହିଛନ୍ତି, ମୋ ପରିଚୟ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ମୋ ଗର୍ବ ହେଉଛି, ମୋ ରାଜ୍ୟ ଓଡି଼ଶା, ଗର୍ବରେ କୁହ ମୁଁ ଓଡି଼ଆ । ଅନ୍ୟପଟେ ବିଜେଡିର ଏହି କ୍ୟାମ୍ପେନକୁ କଟାକ୍ଷ କରିଛି ବିଜେପି ।

ସୂଚନାଯୋଗ୍ୟ ଯେ, ୨୦୧୯ ନିର୍ବାଚନ ସମୟରେ, ବିଜେଡି ଘରେ ଘରେ ଶଙ୍ଖ ଚିହ୍ନ ଥିବା ପୋଷ୍ଟର ଲଗାଇ କ୍ୟାମ୍ପେନ କରିଥିଲା । ଆଉ ଏବେ ସୋସିଆଲ ମିଡିଆକୁ ମାଧ୍ୟମ କରି ଘରେ ଘରେ ଶଙ୍ଖ ଚିହ୍ନକୁ ବ୍ରାଣ୍ଡିଂ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ।