ବିଦ୍ୟୁତ ବିଭାଗର ଚରମ ଅବହେଳା। ସବୁଦିନ ପାଇଁ ହାତ ହରାଇଲା ୭ ବର୍ଷର ମୁନ୍ନା। 

119

କନକ ବ୍ୟୁରୋ:  ଜୀବନ କଣ ଜାଣିବା ପୂର୍ବରୁ କୁନି ପୁଅ ମୁନ୍ନା ତାର ଦୁଇ ହାତ ହରାଇଛି । ହସଖୁସିରେ ଚାଲିଥିବା ଜିଲୁ ମାଝୀଙ୍କ ପରିବାରରେ ଘୋଟି ଆସିଛି ଅନ୍ଧକାରର କଳା ବାଦଲ । ସୁଖର ସଂସାରରେ ଏଭଳି ବିପଦ ଆସିବ କେହି କେବେ କଳ୍ପନା କରି ନଥିଲେ । ୭ ବର୍ଷର ପୁଅ ମୁନା ଘର ଅଗଣାରେ ଖେଳୁ ଖେଳୁ ଘର ପଡିଶା ଘର ଛାତ ଉପରକୁ ଚାଲିଯାଇଥିଲା । କିନ୍ତୁ କିଏ ବା ଜାଣିଥିଲା ବିପଦ ଚାହିଁ ବସିଥିଲା ମୁନାକୁ । ଛାତ ଉପରେ ଖେଳୁ ଖେଳୁ  ଛାତରେ ଝୁଲିଥିବା ୧୧କେଭି ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଆଉ ତାପରେ ଦୁଇ ହାତ ହରାଇ ସବୁଦିନ ପାଇଁ ଭିନ୍ନକ୍ଷମ ହୋଇଯାଇଛି ମୁନ୍ନା ।

ଛାତ ଉପରେ ଝୁଲିଥିବା ଏହି ବିଦ୍ୟୁତ ତାର ସମ୍ପର୍କରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ୨ ବର୍ଷ ପୂର୍ବରୁ ଜଣାଇଥିଲେ ଘର ମାଲିକ । ବିପଦକୁ ଏଡାଇବା ପାଇଁ ଲିଖିତ ଭାବେ ଜଣାଇଥିଲେ । ମାତ୍ର ପୂର୍ବ କନିଷ୍ଠ ଯନ୍ତ୍ରୀ ବଦଳି ହୋଇଗଲାପରେ ମଧ୍ୟ ଏହାର କୈାଣସି ସମାଧାନ ହୋଇ  ପାରିନଥିଲା । ନୂତନ କନିଷ୍ଠ ଯନ୍ତ୍ରୀଙ୍କୁ ବି ଏ ସମ୍ପର୍କରେ ଜଣାଇଥିଲେ ବି କୌଣସି ପଦକ୍ଷେପ ନେଇନଥିଲା ବିଦ୍ୟୁତ ବିଭାଗ । ଆଉ ଶେଷରେ ଘଟିଥିଲା ଏଭଳି ଅଘଟଣ ।

ସ୍ଥାନୀୟ ପୋଲିସକୁ ଏ ନେଇ ଅଭିଯୋଗ କରିବା ପରେ ବିଦ୍ୟୁତ ବିଭାଗ ଖୁଣ୍ଟ ଲଗାଇ ତାରକୁ ଉଠାଇ ଦେଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଏଯାବତ ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ବା କର୍ମଚାରୀ ସହାନୁଭୁତି ପାଇଁ ବି ପହଞ୍ଚିନାହାନ୍ତି ।  ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସହ ଆମେ ଯୋଗାଯୋଗ କରିଥିଲେ ବି କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପୀଡ଼ିତ ନାବାଳକ ।