ଭାରତୀୟ କ୍ରିକେଟ ବୋର୍ଡକୁ ପ୍ରଂଶସା କଲେ ସ୍ମିଥ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ପରୋକ୍ଷରେ ମାରିଲେ ସମାଲୋଚନାର ତୀର ।

238

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ବୋର୍ଡକୁ ଧନ୍ୟବାଦ ଜଣାଇଲେ ସ୍ମିଥ । ପରୋକ୍ଷରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ନିଶାନା ମଧ୍ୟ କଲେ । ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ଶେଷ ହେବା ପରେ ଟ୍ୱିଟ୍ କରି କିଛି ଏମିତି ଇଙ୍ଗିତ କରିଛନ୍ତି ଦକ୍ଷିଣ ଆଫ୍ରିକା ବୋର୍ଡର ନିର୍ଦ୍ଦେଶକ ଗ୍ରେମ ସ୍ମିଥ୍ । ଦକ୍ଷିଣ ଆଫ୍ରିକାର ସିରିଜ ଆୟୋଜନର କ୍ଷମତା ଉପରେ ଭରସା କରିଥିବାରୁ ବିସିସିଆଇ ଓ ଭାରତୀୟ ଖେଳାଳୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ମିଥ୍ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହେବା ସତ୍ତେ୍ୱ ମଧ୍ୟ ସିରିଜ ବାତିଲ କରିନଥିଲା ବିସିସିଆଇ । ଏପରିକି ଓମିକ୍ରନର ପ୍ରଭାବ କଣ ରହିବ ସେ ବାବଦରେ ସଠିକ ତଥ୍ୟ ମିଳିନଥିଲେ ମଧ୍ୟ ଭାରତ ଖେଳିବାକୁ ପଛଘୁଞ୍ଚା ଦେଇନଥିଲା । ଯେଉଁଥିପାଇଁ ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ୩ଟି ଟେଷ୍ଟ ଓ ୩ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା ।

ଆଉ ଏହାପରେ ଗ୍ରେମ ସ୍ମିଥ ଟ୍ୱିଟ୍ କରି କହିଥିଲେ, ବିସିସିଆଇ, ଜୟ ଶାହା, ସୌରଭ ଗାଙ୍ଗୁଲି, ଭାରତୀୟ ଖେଳାଳୀ ଓ ଟିମ୍ ମ୍ୟାନେଜମେଣ୍ଟକୁ ଧନ୍ୟବାଦ । ଯେଉଁମାନେ ଦକ୍ଷିଣ ଆଫ୍ରିକାର ଆୟୋଜନ କ୍ଷମତା ଉପରେ ଭରସା କରିଲେ । ଅନିଶ୍ଚିନ୍ତତାର ମାହୋଲ ଭିତରେ ପ୍ରତିବଦ୍ଧତାର ଉଦାହରଣ ସାଜିଲା ଭାରତ, ଆଉ ଭାରତର ଏଭଳି ପ୍ରତିବଦ୍ଧତାକୁ ଅନ୍ୟମାନେ ଅନୁକରଣ କରିପାରନ୍ତି । ଆଉ ଏଭଳି କହି ପରୋକ୍ଷରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ତୀର ମାରିଛନ୍ତି ସ୍ମିଥ୍ । ଅଷ୍ଟ୍ରେଲିଆ ଗତବର୍ଷ କରୋନା ମହାମାରୀ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବାକୁ ଥିବା ଟେଷ୍ଟ ସିରିଜକୁ ସ୍ଥଗିତ ରଖିଥିଲା । ସେହିଭଳି ୨୦୨୦ରେ ବାୟୋ ବବଲରେ କରୋନା ସଂକ୍ରମଣ ମାମଲା ଆସିବା ପରେ ଇଂଲଣ୍ଡ ସିରିଜ ମଝିରୁ ଫେରି ଯାଇଥିଲା । କିନ୍ତୁ କରୋନା ଭଳି କଷ୍ଟକର ସମୟରେ ଦକ୍ଷିଣ ଆଫ୍ରିକା ଉପରେ ଭରସା କରିଥିବାରୁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ସ୍ମିଥ୍ ।

ଏହି ସିରିଜ ଦକ୍ଷିଣ ଆଫ୍ରିକା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଦକ୍ଷିଣ ଆଫ୍ରିକା କେବଳ ସିରିଜ ବିଜୟୀ ହୋଇନାହିଁ ବରଂ ଏହି ସିରିଜରେ ପ୍ରସାରଣକାରୀ ସଂସ୍ଥା ଠାରୁ ମିଳିଥିବା ଅର୍ଥ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ସ୍ଥିତିରେ ସୁଧାର ଆଣିବ । ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ ପରାଜିତ ହୋଇଥିଲା ।