ସବୁ ବର୍ଗର ମତାମତ ଲୋଡ଼ିଲେ ସରକାର । ଚଳିତ ବଜେଟ୍ ପାଇଁ ଜାନୁଆରୀ ୧୫ ଭିତରେ ଦିଅନ୍ତୁ ମତାମତ

385

କନକ ବ୍ୟୁରୋ: ଚଳିତ ବାର୍ଷିକ ବଜେଟ୍ ପୂର୍ବରୁ ସରକାରଙ୍କ ପ୍ରସ୍ତୁତି । ୨୦୨୦-୨୧ ବାର୍ଷିକ ବଜେଟ୍ କିଭଳି ହେବା ଦରକାର, ଏନେଇ ଜନସାଧାରଣଙ୍କ ଠାରୁ ମତାମତ ଲୋଡ଼ିଛନ୍ତି ଅର୍ଥ ବିଭାଗ । ଏନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି କି, ସାଧାରଣ ଲୋକେ ଏବଂ ବିଭିନ୍ନ ସାମାଜିକ ଓ ନାଗରିକ ସଂଗଠନ ବଜେଟକୁ ଲୋକାଭିମୁଖୀ ଭାବେ ପ୍ରସ୍ତୁତ କରିବା ପାଇଁ ସେମାନଙ୍କ ସୁଚିନ୍ତିତ ମତାମତ ରାଜ୍ୟ ସରକାରଙ୍କ ଇ-ମେଲ budget.odisha.gov.inରେ ଦେଇପାରିବେ । ଏହାଛଡା ହ୍ୱାଟ୍ସଆପ୍, ଟେଲିଗ୍ରାମ ଓ ଫୋନ ନଂ- ୯୪୩୮୧୬୧୧୧୧କୁ ଏସଏମଏସ କରି ମତାମତ ମଧ୍ୟ ଜଣାଇପାରିବେ ।

ତେବେ ଆର୍ଥିକ ବର୍ଷର ବଜେଟ୍ ପାଇଁ ଆସନ୍ତାକାଲି ଠାରୁ ଜାନୁୟାରୀ ୧୫ ତାରିଖ ମଧ୍ୟରେ ମତାମତ ଦେଇପାରିବେ ଜନସାଧାରଣ ବୋଲି ଆହ୍ୱାନ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ ବିଗତ କିଛି ବର୍ଷ ବଜେଟକୁ ସରଳ ସୁନ୍ଦର କରିବା ପାଇଁ ଜନସାଧାରଣଙ୍କଠାରୁ ଏଭଳି ମତାମତ ସଂଗ୍ରହ କରାଯାଉଛି । ପୂର୍ବରୁ କେବଳ ଇ-ମେଲ ଓ ଏସଏମଏସ ଜରିଆରେ ମତାମତ ନିଆଯାଉଥିବାବେଳେ ବିଗତ କିଛି ବର୍ଷ ହେବ ହ୍ୱାଟ୍ସଆପ ଜରିଆରେ ମତାମତ ପଠାଇବାର ବ୍ୟବସ୍ଥା ଜାରି ରହିଛି । ତେବେ ରାଜ୍ୟର ବିଭିନ୍ନ ଶ୍ରେଣୀର ଲୋକଙ୍କୁ ଏହି ସ୍ୱତନ୍ତ୍ର ବ୍ୟବସ୍ଥାରେ ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଭାଗ ନେବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ।