ଅର୍ଥ ମନ୍ତ୍ରଣାଳୟ କମ୍ପୋଜିଟ ଲାଇସେନ୍ସର ପ୍ରସ୍ତାବ । ଗୋଟିଏ କମ୍ପାନୀ ବିକ୍ରି କରିପାରିବ ଜୀବନ, ଜେନେରାଲ ଓ ସ୍ୱାସ୍ଥ୍ୟବୀମା

92

କନକ ବ୍ୟୁରୋ : ଅର୍ଥ ମନ୍ତ୍ରଣାଳୟ ତରଫରୁ ସମସ୍ତ ପ୍ରକାର ବୀମା ବିକ୍ରି କରିବା ନେଇ ଏକ କମ୍ପୋଜିଟ ପଞ୍ଜିକରଣ ପ୍ରସ୍ତାବ ଦେଇଛନ୍ତି । ଯଦି ଅର୍ଥ ମନ୍ତ୍ରଣାଳୟର ଏହି ପ୍ରସ୍ତାବ ପାରିତ ହୁଏ ତେବେ ଆଗାମୀ ଦିନରେ ଗୋଟିଏ ବୀମା କମ୍ପାନୀ ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା ଓ ସାଧାରଣ ବୀମା ପଲିସି ବିକ୍ରି କରିପାରିବେ । ଅର୍ଥାତ ଭିନ୍ନ ଭିନ୍ନ ପଲିସି ବିକ୍ରି କରିବାକୁ ବୀମା କମ୍ପାନୀମାନଙ୍କୁ ଆଉ ଭିନ୍ନ ଭିନ୍ନ ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡିବ ନାହିଁ । ଅନୁମାନ କରାଯାଉଛି କି ସରକାର ଯଦି ଅର୍ଥ ମନ୍ତ୍ରଣାଳୟର ଏହି ପ୍ରସ୍ତାବକୁ ଅନୁମୋଦନ କରିବେ ତେବେ ତାଙ୍କୁ ବୀମା ଅଧିନିୟମ ୧୯୩୮ର ସଂଶୋଧନ କରିବାକୁ ପଡିବ ।

ଏବେ ସମୟରେ ବୀମା କମ୍ପାନୀଗୁଡିକ ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା ଓ ସାଧାରଣ ବୀମା ବିକ୍ରି କରିବାକୁ ଭିନ୍ନ ଭିନ୍ନ ଲାଇସେନ୍ସ ନେବାକୁ ପଡୁଛି । ମାତ୍ର କମ୍ପୋଜିଟ ଲାଇସେନ୍ସକୁ ଅନୁମୋଦନ ମିଳିଲେ ଗୋଟିଏ ବୀମା କମ୍ପାନୀ ସମସ୍ତ ପ୍ରକାର ବୀମା ପଲିସି ବିକ୍ରି କରିପାରିବେ ।

ସେପଟେ ବୀମା କମ୍ପାନୀମାନେ ଅନେକ ଦିନରୁ କମ୍ପୋଜିଟ ଲାଇସେନ୍ସ ପଲିସି ଲାଗୁ କରିବାକୁ ଦାବି କରିଆସୁଛନ୍ତି । ଯେଭଳି ଭାବେ ବ୍ୟାଙ୍କମାନେ ବୀମା ପଲିସି ଓ ମ୍ୟୁଚାଲଫଣ୍ଡ ପଲିସି ବିକ୍ରି କରିପାରୁଛନ୍ତି ସେହିଭଳି ବୀମା କମ୍ପାନୀମାନେ ବୀମା ପଲିସି ବ୍ୟତୀତ ଅନ୍ୟ ଆର୍ଥିକ ପଲିସି ବିକ୍ରି କରିବାକୁ ଦାବି କରୁଛନ୍ତି । ଫଳରେ ସେମାନଙ୍କର ରାଜସ୍ୱ ବୃଦ୍ଧି ହୋଇପାରିବ ବୋଲି ଯୁକ୍ତି ରଖାଯାଇଛି ।