ରାତି ସାରା ଚାଲିଲା ଭସାଣି : ବିଦାୟ ନେଲେ ମାଆ ଜଗତଜନନୀ; ଟ୍ୱିନ୍ ସିଟିରେ ଅସ୍ଥାୟୀ ପୋଖରୀରେ କରାଗଲା ମୃଣ୍ମୟୀ ମୂର୍ତ୍ତି ବିସର୍ଜନ

90

କନକ ବ୍ୟୁରୋ : ମେଲାଣି ନେଲେ ମା ଦୁର୍ଗା । ଦୂର୍ଗାପୂଜାର ଅନ୍ତିମ ପର୍ଯ୍ୟାୟ ଭସାଣ ଉତ୍ସବରେ ଫାଟି ପଡିଥିଲା କଟକ-ଭୁବନେଶ୍ୱର । ତୁହାତୁ ତୁହା ବର୍ଷା ଭିତରେ ଶେଷ ହୋଇଛି ମାଆ ଜଗତଜନବୀଙ୍କ ଶୋଭାଯାତ୍ରା । ପାରମ୍ପରିକ ବାଦ୍ୟର ତାଳେତାଳେ ମାଆଙ୍କ ମେଢ ଆଗରେ ନାଚିନାଚି ବିଦାୟ ଜଣାଇଛନ୍ତି ବିଭିନ୍ନ ପୂଜା କମିଟି ସଦସ୍ୟ । ଢୋଲ ବାଜା, ଘୋଡାନାଚ ଓ ଅତ୍ୟାଧୁନିକ ଡିଜେ ସାଉଣ୍ଡର ତାଳରେ ଝୁମିଛନ୍ତି ଯୁବଗୋଷ୍ଠୀ ।

ଭୁବନେଶ୍ୱରରେ ଭସାଣି ପାଇଁ ମହାନଗର ନିଗମ ପକ୍ଷରୁ ନିର୍ମାଣ କରାଯାଇଥିବା ୪ଟି ଅସ୍ଥାୟୀ ପୋଖରୀରେ ମାଙ୍କ ମୂର୍ତ୍ତି ବିସର୍ଜନ କରାଯାଇଛି । କୁଆଖାଇ ନଦୀ ପଠାରେ ୨ଟି ଏବଂ ଟଙ୍କପାଣି ବାସୁଆ ଘାଇ ଓ ଦୟାନଦୀ କୂଳରେ ଗୋଟିଏ ଲେଖାଏଁ ପୋଖରୀ କରାଯାଇଥିଲା । ନଦୀ ପ୍ରଦୂଷଣକୁ ରୋକିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ଅନୁସାରେ ଛୋଟବଡ ପ୍ରାୟ ୩୦୦ ମେଢର ବିସର୍ଜନ ବ୍ୟବସ୍ଥା କରାଯାଇଥିଲା । ୬ ଫୁଟ ଗଭୀର ଓ ୧୫ ଫୁଟ ଓସାର ରହିଥିଲା ପ୍ରତ୍ୟେକ ପୋଖରୀ । ବିଏମସି ପକ୍ଷରୁ ଯୋଗାଇ ଦିଆଯାଇଥିବା ଜେସିବି ସାହାଯ୍ୟରେ ଅସ୍ଥାୟୀ ପୋଖରୀରୁ ଅଳିଆକୁ କାଢି ସୈନିକ ସ୍କୁଲ ପାଖ ଟିସିଏସରେ ପକାଇବା ପାଇଁ ବନ୍ଦୋବସ୍ତ କରାଯାଇଛି ।

ତେବେ ରାତି ସାଢ଼େ ୧୦ଟା ପରେ କମିଶନରେଟ୍ ପୋଲିସ ପକ୍ଷରୁ ଡିଜେ ସାଉଣ୍ଡ ବଜାଯିବାକୁ ବନ୍ଦ କରାଯାଇଥିଲା । ସେହିପରି ଆକର୍ଷଣୀୟ ମେଢ ସାଙ୍ଗକୁ ଭସାଣିର ଚାକଚକ୍ୟରେ ଭୁବନେଶ୍ୱର ଆଗରେ ଥିଲେ ବି ପାରମ୍ପରିକତାକୁ ବଜାୟ ରଖିଥିଲା କଟକ ସହର । ବର୍ଷାରୁ ସୁରକ୍ଷା ଦେବାପାଇଁ ମାଆଙ୍କ ମେଢକୁ ପଲିଥିନ ଘୋଡାଇ କରାଯାଇଥିଲା ସହର ପରିକ୍ରମା । ବାଜା ବଜାଇ, ନାଚଗୀତରେ ମାଆଙ୍କୁ ମେଲାଣି ଦେଇଛନ୍ତି କଟକ ସହରବାସୀ । କଟକ ଦେବୀଗଡାରେ ଏଥିପାଇଁ ୩ଟି କୃତ୍ରିମ ପୋଖରୀ କରାଯାଇଛି ।

୬ଫୁଟ ଗଭୀର ଓ ୧୫ ଫୁଟ ଓସାର ବିରାଟ ଅସ୍ଥାୟୀ ପୋଖରୀରେ ମୋଟା ପଲିଥିନ ଦେଇ ପାଣି ଭର୍ତ୍ତି କରାଯାଏ । ପାଣିକୁ ପ୍ରଦୂଷିତ ନକରିବା ପାଇଁ ମୂର୍ତ୍ତିରୁ ଫୁଲ ଅନ୍ୟାନ୍ୟ ଜିନିଷ କାଢି ପାଣିରେ ପକାଇବାକୁ ନିୟମ ରହିଥିଲା । ପୁରା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ମହାନଗର ନିଗମ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । କଟକରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ଦେଢଶହରୁ ଅଧିକ ମେଢକୁ ପର୍ଯ୍ୟାୟକ୍ରମେ କାଠଜୋଡିର ଦେବୀଗଡାରେ ବିସର୍ଜନ କରାଯାଉଛି ।