ଡାକ୍ତରୀ ଔଷଧ କରିଦେଲା ଦୃଷ୍ଟିହୀନ ।ଏବେ ବାରଣ୍ଡାରେ ବସି ଅନ୍ଧାରରେ ନିଜ ଭବିଷ୍ୟତକୁ ଖୋଜୁଛି କୁନି ଝିଅ ରୀତା

235

କନକ ବ୍ୟୁରୋ: ଡାକ୍ତରୀ ଔଷଧ କରିଦେଲା ଦୃଷ୍ଟିହୀନ ।  ଅନ୍ଧାରରେ କୁନି ଝିଅର ଭବିଷ୍ୟତ । ଜୀବନ ଦେଉଥିବା ଔଷଧ ଜୀବନ ଉଜାଡିଦେଲା । ଟିବି ରୋଗରୁ ଭଲ ହେବାକୁ ଖାଉଥିବା ଔଷଧ ଖାଇବା ପରେ ଚାଲିଗଲା କୁନି ଝିଅର ଆଖିର ଦୃଷ୍ଟି ଶକ୍ତି । ପାଠପଢାରେ ବେଶ୍ ଆଗୁଆ ଥିବା ଝିଅ ଏବେ ନିଜ ବହି ଖାତାକୁ ଧରି ଝୁରି ହେଉଛି । କିଏ ଫେରାଇଦେ ତା’ର ଆଖିର ଜ୍ୟୋତି । ପୁଣି ସେ କେମିତି ଯିବ ସ୍କୁଲ । ଘର ପିଣ୍ଢାରେ ନିତି ବସି ନିଜର ଅନ୍ଧାରୀ ଦୁନିଆ ଭିତରେ ଏଭଳି ଭାଳି ହେଉଛି କୁନି ଝିଅ ରୀତା ।

ଏ ହେଉଛି ରାୟଗଡା ସଦର ବ୍ଲକ ତାଡମା ପଞ୍ଚାୟତ ଲୁହାଖାଲ ଗାଁର ଝିଅ ରୀତା ପିଡିକା । ବୟସ ମାତ୍ର ୧୨ ବର୍ଷ । ପଞ୍ଚମ ଶ୍ରେଣୀରେ ପଢୁଥିଲା ରୀତା । ପଢାରେ ସେ ତା’ର ଭାରୀ ଆଗ୍ରହ । ସ୍କୁଲ ଶିକ୍ଷୟତ୍ରୀ ମାନଙ୍କୁ ଦେଖି ଘରେ ଆସି କୁହେ ପାଠ ପଢି ସେ ବଡ ହେଲେ ସ୍କୁଲ ଦିଦି ହେବ । ପିଲାଙ୍କୁ ପାଠ ପଢେଇବ । ହେଲେ ତା’ର ଏହି କଅଁଳ ସ୍ୱପ୍ନକୁ ଛାରଖାର କରିଦେଲା ଡାକ୍ତରୀ ଔଷଧ । ବର୍ଷକ ପୂର୍ବରୁ ହଠାତ ୍ ରୀତା ଅସୁସ୍ଥ ହେବାରୁ ତାଙ୍କୁ ପାଖ ଡାକ୍ତରଖାନାକୁ ନେଇଥିଲେ ବାପା । ସେଠାରେ ପରୀକ୍ଷା କରି ଟିବି ହୋଇଛି ବୋଲି କହିବା ସହ ଔଷଧ ଦେଇଥିଲେ ଡାକ୍ତର । ଏହି ମେଡିସିନକୁ ଖାଇବା ପରେ ଟିବି ସିନା ଭଲ ହୋଇଗଲା , ହେଲେ ସବୁ ଦିନ ପାଇଁ ରୀତାର ଦୃଷ୍ଟି ଶକ୍ତି ଚାଲିଗଲା । ଏବେ ସକାଳ ହେଲେ ଘର ବାରଣ୍ଡାରେ ବସି ନିଜ ବହି ଖାତାକୁ ଧରି ଝୁରି ହେଉଛି ରୀତା । ଗରୀବ ଘରେ ତା’ର ଚିକିତ୍ସା ପାଇଁ ଅର୍ଥ ନାହିଁ ବୋଲି ନିଜ ଭବିଷ୍ୟତକୁ ନେଇ ଭାରୀ ଚିନ୍ତାରେ ରୀତା ଓ ତା’ର ପରିବାର ଲୋକେ ।

କୁନି ଝିଅର ଏପରି ଅବସ୍ଥା ଜାଣିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ରାୟଗଡା ବିଧାୟକ । ରୀତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହ କଥା ହେବା ପରେ ତା’ର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଇବା ସହ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି ବିଧାୟକ ମକରନ୍ଦ ମୁଦୁଲି ।

ଯଦି କେହି ସହୃଦୟ ବ୍ୟକ୍ତି ଏପରି ସ୍ଥିତିରେ ରୀତାଙ୍କୁ ସହାୟତାର ହାତ ବଢାଇବାକୁ ଚାହାଁନ୍ତି ତେବେ ଠିକଣା ହେଲା ।
ରୀତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ:
ନାମ – ରୀତା ପିଡିକା
ବାପା-ସୁବାରାଓ ପିଡିକା
bank Ac.028301000026293

IFSC code- IOBA000283
Mob. 7848050631