ଗଗନଯାନର ପ୍ରଥମ ପରୀକ୍ଷଣ ସଫଳ । ଯୋଜନା ଅନୁଯାୟୀ ରକେଟରୁ ଅଲଗା ହେଲା ‘କ୍ରୁ ମଡ୍ୟୁଲ୍’, ବଙ୍ଗୋପସାଗରରେ କଲା ଅବତରଣ

102

କନକ ବ୍ୟୁରୋ : ଚନ୍ଦ୍ରର ଦକ୍ଷିଣ ମେରୁରେ ପହଁଚି ବିରଳ ସଫଳତା ପାଇବା ପରେ ଆଦିତ୍ୟ ଏଲ୍-ୱାନ ଏବଂ ଆଜି ଗଗନଯାନ ମିସନର ପ୍ରଥମ ସଫଳ ପରୀକ୍ଷଣ । ଏହା ସହ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢ଼ିଛି ଭାରତ ।

ବୈଷୟିକ ତ୍ରୁଟି ଯୋଗୁଁ ଦୁଇ ଥର ସ୍ଥଗିତ ପରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଂଟରରୁ ଉତକ୍ଷେପଣ ହେଲା ଟେଷ୍ଟ ଭେହିକିଲ ଟିଭି-ଡି ୱାନ୍ । ଯେମିତି ଯୋଜନା କରାଯାଇଥିଲା, ସେହି ଅନୁରୂପ ଆଗକୁ ବଢ଼ିଥିଲା ‘କ୍ରୁ ମଡ୍ୟୁଲ’ । ଗଗନାଯାନ ମିସନର ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ସଫଳତାର ସହ ସଂପାଦିତ ହୋଇଥିଲା ।
୧୭ କିଲୋମିଟର ଉଚ୍ଚତାରୁ ରକେଟରୁ ‘କ୍ରୁ ମଡ୍ୟୁଲ’କୁ ଅଲଗା କରାଗଲା
ସଫଳତା ପୂର୍ବକ ପାରାଚ୍ୟୁଟ ଜରିଆରେ ବଙ୍ଗୋପସାଗରରେ ଅବତରଣ
ଏହି ମିସନର ସଫଳତା ପରେ ବିଶ୍ୱର ଚତୁର୍ଥ ଦେଶ ହୋଇଛି ଭାରତ
ପୂର୍ବରୁ ଆମେରିକା, ରୁଷ ଏବଂ ଚୀନ ଏଥିରେ ସଫଳ ହୋଇଛନ୍ତି

ମିସନର ସଫଳତା ପରେ ଇସ୍ରୋର ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସୋସିଆଲ୍ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ମୋଦୀ କହିଛନ୍ତି, ଏହି ସଫଳତା ପରେ ଭାରତର ପ୍ରଥମ ମାନବ ମିସନ୍ ଗଗନଯାନ ଆଉ ଏକ ପାଦ ଆଗକୁ ବଢ଼ିଛି ।

୨୦୨୫ ମସିହାରେ ହେବ ଗଗନଯାନ ମିସନ । ୩ଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ସହିତ ସଫଳତାପୂର୍ବକ ଫେରାଇ ଆଣିବାକୁ ଯୋଜନା କରିଛି ଇସ୍ରୋ ।

ଗଗନଯାନ କ୍ରୁ ମଡ୍ୟୁଲ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ ପରେ ନିକଟ ଭବିଷ୍ୟତରେ ୨୦ଟି ପରୀକ୍ଷଣ କରିବ ଇସ୍ରୋ । ଏହା ପରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ମାଇଲଖୁଂଟ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଣ୍ଟ
୨୦୨୫ରେ ଗଗନଯାନ ମିସନ
୨୦୩୫ରେ ଭାରତୀୟ ମହାକାଶ କେନ୍ଦ୍ର ସ୍ଥାପନ
୨୦୪୦ରେ ମହାକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠରେ ପହଁଚାଇବା ଲକ୍ଷ୍ୟ ରହିଛି ବୋଲି ନିକଟରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।