ହୋ ହାଲ୍ଲା କାରଣରୁ ସଂସଦରୁ ନିଲମ୍ବିତ ହେଲେ ୪ କଂଗ୍ରେସ ସାଂସଦ । ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି

125

କନକ ବ୍ୟୁରୋ : ସଂସଦ ମୌସୁମୀ ଅଧିବେଶନର ଆଜି ଷଷ୍ଠ ଦିନ । ଏହି କ୍ରମରେ ଲୋକସଭାରେ ଆଲୋଚନା ଚାଲିଥିବା ବେଳେ କଂଗ୍ରେସର ୪ ଜଣ ସାଂସଦ ହୋ ହାଲ୍ଲା କରିଥିଲେ । ଧାରା ୩୭୪ ମୁତାବକ ଇଚ୍ଛାକୃତ ଭାବେ ଲଗାତର ସଂସଦ ଭିତରେ ହୋ ହାଲ୍ଲା କାରିବା, ସଂସଦ କାର୍ଯ୍ୟରେ ବାଧା ପହଂଚାଇବା ଅଧକ୍ଷଙ୍କ ଅଧିକାର ଉପରେ ହସ୍ତକ୍ଷେପ କରିବା ଭଳି ଅଭିଯୋଗରେ ୪ ଜଣ କଂଗ୍ରେସ ସାଂସଦଙ୍କୁ ଲୋକସଭାର ଅଧିବେଶନରୁ ନିଲମ୍ବିତ କରାଯାଇଛି । ଏହି ୪ ଜଣ ସାଂସଦଙ୍କ ମଧ୍ୟରେ ରହିଛନ୍ତି ମଣିକ୍କମ ଟାଗୋର, ଟିଏନ ପ୍ରତାପନ, ଜ୍ୟୋତିମଣି ଓ ରମ୍ୟା ହରିଦାସ    ।

କେବଳ ଲୋକସଭା ନୁହେଁ ରାଜ୍ୟସଭାରେ ମଧ୍ୟ ଅସ୍ତ୍ରଶସ୍ତ୍ର ଓ ଏହାର ଏକ୍ସପୋର୍ଟ ଉପରେ ସରକାର ସଂଶୋଧନ ବିଲ ଆଣିଥିବା ବେଳେ ଏହାକୁ ନେଇ ବିରୋଧୀ ସାଂସଦମାନେ ହୋହାଲ୍ଲା କରିଛନ୍ତି  । ବିରୋଧୀ ସାଂସଦମାନେ ଆକ୍ରାମକ ତରିକାରେ ନାରାବାଜୀ କରିବା ସହ ଚେୟାର ଉପରକୁ ଉଠି ଠିଆ ହୋଇଥିଲେ । ବିଜେଡି ସାଂସଦ ସସ୍ମିତ ପାତ୍ର ସେମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ । ହେଲେ ସ୍ଥିତି ଅଣାୟତ ହେବାରୁ ଗୃହକୁ ମୁଲତବି କରାଯାଇଥିଲା ।

ଏସବୁ ଭିତରେ ଲୋକସଭା ବାଚସ୍ପତି ଓମ ବିର୍ଲା ବାରମ୍ବାର କାର୍ଯ୍ୟରେ ବାଧା ସୃଷ୍ଟି ନକରିବା ଅନୁରୋଧ କରିଥିଲେ । ସେ କହିଥିଲେ କି ଯଦି ବିରୋଧୀମାନେ ଚର୍ଚ୍ଚା କରିବାକୁ ଚାହୁଁଛନ୍ତି ତେବେ ୩ ଟାରୁ ସେମାନେ ଚର୍ଚ୍ଚା କରିପାରିବେ । ହେଲେ ବିରୋଧୀମାନେ ବାଚସ୍ପତିଙ୍କ କଥାକୁ କର୍ଣ୍ଣପାତ ନକରିବାକୁ ଶେଷରେ ବାଚସ୍ପତି ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବି କରିଥିଲେ ।