ଅନନ୍ୟ ପଶୁପ୍ରେମୀ । ବୁଲା କୁକୁରଙ୍କ ପାଇଁ ବିକିଦେଲେ ଘର ଓ ଗାଡି ।

133

କନକ ବ୍ୟୁରୋ: ଯେଉଁଠି ମଣିଷ ଦୁଃଖ ବୁଝିବାକୁ ଲୋକେ ନାରାଜ ସେଠି ବୁଲା ପଶୁଙ୍କ କଥା ପଚାରେ କିଏ । ହେଲେ ସମାଜର ଜଣେ ଭିନ୍ନ ମଣିଷ ରାକେଶ କୁମାର । ବାଙ୍ଗାଲୋର ସହରର ବାସିନ୍ଦା । ଯିଏ ରାସ୍ତାର ବୁଲା କୁକୁରଙ୍କ ପାଇଁ ବିକିଦେଲେ ନିଜର ୩ଟି ଘର ଆଉ ୨୦ଟି କାର୍ । କଥାଟା ଆପଣଙ୍କୁ କାହାଣୀ ପରି ଲାଗୁଥାଇପାରେ ହେଲେ ଏହା ସତ ।

ବାଙ୍ଗାଲୋରର ୪୮ ବର୍ଷୀୟ ରାକେଶ କୁମାର । କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋର ଓ ଅନ୍ୟ ବଡ ବଡ ସହରରେ ସିଲିକନ୍ ଭ୍ୟାଲି ନାମରେ ତାଙ୍କର କମ୍ପାନୀ ରହିଛି । ବ୍ୟବସାୟ ଜଗତରେ ରାଶେଙ୍କର ବେଶ୍ ନାଁ ରହିଛି । କିନ୍ତୁ ଏବେ ସେ ‘ଡଗ୍ ଫାଦର’ ଭାବେ ବେଶ୍ ପରିଚୟ ସୃଷ୍ଟି କରିଛନ୍ତି । ଦିନେ ଜୀବନର ସଫଳତା କହିଲେ ସେ ବୁଝୁଥିଲେ ଭଲ ଚାକିରି, ଅପରିଜ୍ୟାପ୍ତ ଅର୍ଥ, ଘର ଓ ଗାଡି । ଦିନ ଥିଲା ତାଙ୍କ ପାଖରେ ଏକାଧିକ ଘର ଓ କାର ଥିଲା । ହେଲେ ଗୋଟିଏ ଛୋଟ ଘଟଣା ତାଙ୍କ ଜୀବନର ଗତିପଥକୁ ବଦଳାଇଦେଲା । ଏବେ ତାଙ୍କ ଚିନ୍ତାଧାରା ଓ ଲକ୍ଷ୍ୟ ବଦଳିଛି । ଏବେ ରାସ୍ତାରେ ଅସହାୟ ହୋଇ ଘୁରିବୁଲୁଥଥିବା କୁକୁରଙ୍କ ସୁରକ୍ଷା ହୋଇଛି ତାଙ୍କ ଜୀବନର ଲକ୍ଷ୍ୟ ।

୨୦୦୯ ମସିହାର ଘଟଣା । ରାକେଶ ପାଳିଥିବା ଗୋଲ୍ଡେନ୍ ରିଟ୍ରାଇଭର ପ୍ରଜାତିର କୁକୁରକୁ ନେଇ ବୁଲାଇବାକୁ ବାହାରକୁ ଯାଇଥିଲେ । ସେତେବେଳେ ଏକ ବୁଲା କୁକୁର ଛୁଆକୁ ଦେଖିଥିଲେ, ଯିଏ ବର୍ଷାରୁ ରକ୍ଷା ପାଇବାକୁ ଏଣେତେଣେ ଘୁରିବୁଲୁଥିଲା । ଏହା ଦେଖି ରାକେଶ ଭାବବିହ୍ୱଳ ହୋଇପଡୁଥିଲେ । ଆଉ କୁକୁର ଛୁଆଟିକୁ ଘରକୁ ନେଇଆସିଥିଲେ । ବାସ୍ ଏହା ପରଠାରୁ ରକେଶ ବୁଲା କୁକୁରଙ୍କୁ ଆଶ୍ରୟ ଦେବା ଅଭିଯାନ ଆରମ୍ଭ କରିଦେଲେ ।

ପ୍ରଥମେ ଏହାକୁ ତାଙ୍କ ପତ୍ନୀ ବିରୋଧ କରୁଥିଲେ । ହେଲେ ପରବର୍ତ୍ତୀ ସମୟରେ କୁକୁରଙ୍କ ପ୍ରତି ସ୍ୱାମୀଙ୍କର ଅହେତୁକ ଭଲପାଇବା ଦେଖି ତାଙ୍କୁ ସହଯୋଗ କରିଥିଲେ । ରାକେଶ କୁକୁରଙ୍କ ପାଇଁ ଏକ ଅଲଗା ଜାଗା କିଣି ଏକ ରିହାବିଲିଟେସନ୍ ସେଣ୍ଟର କରିଛନ୍ତି । ଏଠାରେ ବୁଲା କୁକୁରଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଯତ୍ନ ନିଆଯାଉଛି । ପ୍ରଥମେ ସେ ଅଳ୍ପ କେତୋଟି କୁକରଙ୍କୁ ଆଶ୍ରା ଦେଇଥିଲେ । ପରବର୍ତ୍ତୀ ସମୟରେ କୁକୁରଙ୍କ ସଂଖ୍ୟା ବଢି ୧୦୦ରେ ପହଞ୍ଚିଥିଲା ।

କୁକରଙ୍କ ଚିକିିତ୍ସା ତଥା ସେମାନଙ୍କ ରକ୍ଷଣାବେକ୍ଷଣ ପାଇଁ ମାସକୁ ପାଖାପାଖି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ସବୁଠୁ ବଡ କଥା ହେଉଛି କୁକୁରଙ୍କ ରକ୍ଷଣାବେକ୍ଷଣ ପାଇଁ ରାକେଶ କୁମାର ନିଜର ୩ଟି ଘର ଓ ୨୦ଟି ଦାମୀ କାର ବିକିଦେଇଛନ୍ତି ।

ଏବେ ରାକେଶ ‘ଭଏସ୍ ଅଫ୍ ଷ୍ଟ୍ରେ ଡଗ୍’ ନାମକ ଏକ ସଂସ୍ଥା ପଂଜୀକୃତ କରିକୃତ କରିଛନ୍ତି । ଯାହା ବୁଲା କୁକୁରଙ୍କ ପୁନର୍ବାସ ପାଇଁ କାର୍ଯ୍ୟ କରୁଛି । ତାଙ୍କ ଫାର୍ମରେ କେବଳ ବୁଲା କୁକୁର ନୁହଁନ୍ତି ବରଂ ପୋଲିସ ଓ ସେନାରୁ ଅବସର ନେଉଥିବା କୁକୁରମାନଙ୍କୁ ମଧ୍ୟ ରଖାଯାଇ ସେମାନଙ୍କ ଯତ୍ନ ନିଆଯାଉଛି ।

ଦିନେ ବିଜିନେସ୍ ୱାର୍ଲ୍ଡର ଜଣେ ଦକ୍ଷ ବ୍ୟବସାୟୀ ଥିବା ରାକେଶ କୁମାରଙ୍କ ଲକ୍ଷ୍ୟ ବଦଳିଯାଇଛି । ଜୀବନ ଥିବା ଯାଏଁ ବୁଲା କୁକୁରଙ୍କୁ ଏକ ସୁଖଦ ଓ ସୁସ୍ଥ ଜୀବନ ଯୋଗାଇଦେବା ତାଙ୍କର ଲକ୍ଷ୍ୟ ବୋଲି ସେ କୁହନ୍ତି ।