ବେରୋଜଗାରୀଙ୍କ ପ୍ରଦର୍ଶନରେ ସାମିଲ ବେଳେ ଅଘଟଣ, ରାସ୍ତାରେ ବେହୋସ ହୋଇଗଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ

75

କନକ ବ୍ୟୁରୋ : ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ଖରାପ ହୋଇଛି । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି । ଶୁକ୍ରବାର ଦିନ ବେରୋଜଗାର ଯୁବକଙ୍କ ପ୍ରଦର୍ଶନରେ ସାମିଲ ହୋଇ ଧାରଣାରେ ବସିଥିଲେ । ହଠାତ ବେହୋସ ହୋଇପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ଉତ୍ତରାଖଣ୍ଡରେ ଲଗାତର ଭାବେ ଭର୍ତ୍ତି ପରୀକ୍ଷାର ପେପର ଲିକକୁ ନେଇ ଛାତ୍ରଛାତ୍ରୀମାନେ ପ୍ରଦର୍ଶନ ଜାରି ରଖିଛନ୍ତି । ରାଜ୍ୟ ବେରୋଜଗାର ସଂଘ ଓ ପରୀକ୍ଷାର୍ଥର୍ୀମାନେ ବୁଧବାରଦିନ ଗାନ୍ଧୀବାଗ ଠାରେ ପ୍ରଦର୍ଶନ କରିଥିଲେ । ପ୍ରଦର୍ଶନକାରୀଙ୍କ ଅଭିଯୋଗ ଥିଲା କି ଆୟୋଗଙ୍କ ଦ୍ୱାରା ଆୟୋଜିତ ପରୀକ୍ଷାରେ ଗଡବଡ ହେଉଛି । ଏହି କାରଣରୁ ପରୀକ୍ଷା ହୋଇପାରୁ ନାହିଁ କି ଆଶାୟୀମାନେ ସରକାରୀ ଚାକିରୀ ପାଇପାରୁ ନାହାଁନ୍ତି । ଏହାକୁ ନେଇ ଗୁରୁବାର ଦିନ ମଧ୍ୟ ଯୋରଦାର ପ୍ରଦର୍ଶନ ହୋଇଥିଲା । ପ୍ରଦର୍ଶନକୁ ରୋକିବାକୁ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ କରିଥିଲା ।

ଏହି ଲାଠିଚାର୍ଜ ବିରୋଧରେ ଆଜି ଛାତ୍ରଛାତୀମାନେ ଧାରଣା ଦେଇଥିଲେ । ଏହାକୁ ସମର୍ଥନ କରି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଆଜି ଧାରଣା ସ୍ଥଳରେ ପହଂଚିଥିଲେ । ହେଲେ ସେ ଧାରଣାରେ ବସିଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ ଓ ସେ ଚେତାଶୂନ୍ୟ ହୋଇପଡିଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ସୂଚନା ମିଳିନାହିଁ ।