୫-ଟି ସ୍କୁଲର ରକ୍ଷଣାବେକ୍ଷଣ କରିବେ ସ୍ୱଂୟ ସହାୟକ ଗୋଷ୍ଠୀ । ସୁରକ୍ଷା, ପରିଚ୍ଛନ୍ନତା ଓ ଆସବାବପତ୍ରର ଦାୟିତ୍ୱ ନେବେ ଏସଏଚଜି ମହିଳା ।

338

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ସଫଳ ଯୋଜନା ଭିତରେ ‘୫ଟି’ ସ୍କୁଲ ରୂପାନ୍ତରଣ ଅନ୍ୟତମ ।ଏହା ରାଜ୍ୟ ସରକାରଙ୍କ ଏକ ଆଦର୍ଶ ଯୋଜନା । ୫ଟି-ରେ ରୂପାନ୍ତରିତ ସ୍କୁଲ ଗୁଡିକ ଘରୋଇ ସ୍କୁଲ ଗୁଡିକ ସମକକ୍ଷ ହୋଇପାରିଛି ବୋଲି କୁହାଯାଉଛି । ତେଣୁ ଏହି ସ୍କୁଲ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଏବେ ପଞ୍ଚାୟତିରାଜ ବିଭାଗ, ମିଶନ ଶକ୍ତି ଓ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ମିଳିତ ସହଭାଗିତାରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ।

  • ଏସଏଚଜି ମହିଳାଙ୍କୁ ସ୍କୁଲ ଦାୟିତ୍ୱ
  • ୫-ଟି ସ୍କୁଲର କରିବେ ରକ୍ଷଣାବେକ୍ଷଣ

ଏଣିକି ରାଜ୍ୟ ସରକାରଙ୍କ ‘୫ଟି’ ଉପକ୍ରମରେ ରୂପାନ୍ତରିତ ସରକାରୀ ସ୍କୁଲଗୁଡିକର ଦାୟିତ୍ୱ ଏସଏଚଜିର ମହିଳାଙ୍କ ହାତରେ ରହିବ । ଏଥିପାଇଁ ପଦକ୍ଷେପ ନେବାକୁ ଓସେପା ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶନାମା । ଓସେପା ପକ୍ଷରୁ ମୋ ସ୍କୁଲ ଅଧକ୍ଷା ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଜାରି କରାଯାଇଥିବା ଚିଠିରେ ୫-ଟି ସ୍କୁଲର ରକ୍ଷଣାବେକ୍ଷଣ ପାଇଁ ଏସଏଚଜି ମହିଳାମାନଙ୍କୁ ଦାୟିିତ୍ୱ ଦେବାକୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆଯାଇଛି । ଚିଠିରେ କୁହାଯାଇଛି…

  • ଏସଏଚଜି ମହିଳା ୫-ଟି ସ୍କୁଲ ଗୁଡିକର ରକ୍ଷଣାବେକ୍ଷଣ କରିବେ
  • ସ୍କୁଲ ହତାକୁ ସୁରକ୍ଷା ଦେବେ, ଆସବାବପତ୍ରର ଯତ୍ନ ନେବେ, ପରିଷ୍କାର ପରିଛନ୍ନ ରଖିବେ
  • ମାସିକ ଅତିକମରେ ୧୦ରୁ ୧୫ ଦିନ କାମ ଦିଆଯିବ
  • ଦୈନିକ ମିଳିବ ୨୧୫ଟଙ୍କା

ଏସଏଚଜି ମହିଳାମାନଙ୍କୁ ପାରିଶ୍ରମିକ ବାବଦରେ ପଞ୍ଚାୟତିରାଜ ବିଭାଗର ମନରେଗା ଯୋଜନାର ଧାର୍ଯ୍ୟ ନିୟମ ଅନୁସାରେ ଦୈନିକ ୨୧୫ଟଙ୍କା ହିସାବରେ ଦରମା ଦିଆଯିବ । ମୋ-ସ୍କୁଲ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରିବାକୁ ଚିଠିରେ କୁହାଯାଇଛି । ହେଲେ କେତେ ଟଙ୍କା ଖର୍ଚ୍ଚ କରାଯିବ ତାହା ସ୍ପଷ୍ଟ କରାଯାଇନାହିଁ । ସ୍କୁଲ ପିଛା କେତେ ଜଣ ଏସଏଚଜି ମହିଳାଙ୍କୁ ନିଯୁକ୍ତି ଦିଆଯିବ ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ । କିନ୍ତୁ ଆବଶ୍ୟକତା ଅନୁସାରେ ସ୍କୁଲର ପ୍ରଧାନଶିକ୍ଷକ ଓ ଜିଲ୍ଲାପ୍ରଶାସନ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଓସେପାର ବରିଷ୍ଠ ଅଧିକାରୀ । ପଞ୍ଚାୟତିରାଜ ବିଭାଗ, ମିଶନ ଶକ୍ତି ଓ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ମିଳିତ ସହଭାଗିତାରେ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

୫-ଟି ଅଧୀନରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୪ ହଜାରରୁ ଅଧିକ ସ୍କୁଲର ରୂପାନ୍ତରଣ କରାଯାଇଛି । ତେଣୁ ଏବେ ପ୍ରଶ୍ନ ଉଠୁଛି ରାଜ୍ୟରେ ପ୍ରାୟ ୭୦ଲକ୍ଷ ମହିଳା ଏସଏଚଜି ସହ ଜଡିତ ଥିବାରୁ ଏତେ କମ୍ ସ୍କୁଲରେ ସେମାନଙ୍କୁ କେମିତି କାମ ଦିଆଯିବ । ଏହି ଯୋଜନାରେ କେତେ ଜଣଙ୍କୁ କାମ ଦିଆଯିବ ତାହା ସ୍ପଷ୍ଟ ହୋଇନଥିବାରୁ ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।