ପୋଖରୀରୁ ମାଛ ମରା ପ୍ରତିଯୋଗିତା: ପ୍ରତି ରବିବାର ବାଲେଶ୍ୱର ରେମୁଣାରେ ହେଉଛି ଏମିତି ପ୍ରତିଯୋଗିତା

88

କନକ ବ୍ୟୁରୋ: ନିଜ କର୍ମମୟ ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ନିଜର ସଉକ ପୁରା କରିବାକୁ କେତେ ଲୋକ କେତେ କଣ କରନ୍ତି। କିଏ ଖେଳିବାକୁ ଭଲ ପାଏ ତ କିଏ ବୁଲିବାକୁ ତ ଆଉ କିଏ ମାଛ ଧରିବାକୁ। ମାଛ ଧର।ର ଖୁସି କହିଲେ ନ ସରେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରେମୁଣା ପୁଟ ପୋଖରୀ ରେ। ଏବେ ପ୍ରତି ରବିବାରରେ ଏହି ପୋଖରୀ ଚାରିପଟେ ଦେଖିବାକୁ ମିଳୁଛି କେତେ ରକମର ବଂଶିକଣ୍ଟ। ଓ ମାଛ ଧରାଳି।

ପୋଖରୀ ଚାରିପଟେ ଘେରି ରହିଛନ୍ତି ୬୦ରୁ ୭୦ ଜଣ ଲୋକେ । ସମସ୍ତଙ୍କ ହାତରେ ଅଛି ଗୋଟିଏ ଗୋଟିଏ ବନିସ୍ । ବନିସ୍ କଂଟାରେ ଥୋପ ଗୁଂଥି ମାଛ ଧରା ଚାଲିଛି । କାରଣ ବନିସ୍ରେ ମାଛ ଧରିବା ପାଇଁ ହଜାରେ ଟଙ୍କାର ଟିକେଟ୍ କାଟିବାକୁ ପଡିଛି । ବାଲେଶ୍ୱର ରେମୁଣା କନକ ଦୁର୍ଗା ମନ୍ଦିର ସାମ୍ନା ପୋଖରୀରୁ ଏମିତି ମାଛ ଧରା ହେଉଛି । ମାଛ ମାରିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ମାଛ ଧରାଳି ମଧ୍ୟ ସାମିଲ ହୋଇଥାନ୍ତି ।

ପ୍ରତି ରବିବାର ସକାଳ ୫ଟାରୁ ସଂଧ୍ୟା ୫ଟା ଯାଏଁ ମାଛ ଧରା ହୁଏ । ଏହି ସମୟ ମଧ୍ୟରେ ବନିସ୍ରେ ଯେତିକି ମାଛ ପଡନ୍ତି, ସେତକ ମାଛ ନେଇ ଘରକୁ ଫେରନ୍ତି ମାଛ ଧରାଳି । କାହା ଭାଗ୍ୟରେ ୧୫ରୁ ୨୦ କେଜି ରୋହି, ଭାକୁଡ, ତେଲପିଆ, ବାଉଲ ଭଳି ମାଛ ପଡନ୍ତି, ପୁଣି କେହି କେହି ଖାଲି ହାତରେ ଘରକୁ ଫେରିଥାନ୍ତି । ଏଥିପାଇଁ ଆଗୁଆ ହଜାରେ ଟଙ୍କାର ଟିକେଟ୍ କାଟିବାକୁ ପଡିଥାଏ ।

ପୋଖରୀରୁ ମାଛ ଧରିବା ପାଇଁ ଅତ୍ୟାଧୁନିକ ବନିସ୍ ସହ ସ୍ୱତନ୍ତ୍ର ଥୋପ ବା ଖାଦ୍ୟ ପ୍ରସ୍ତୁତ କରାଯାଏ । ମକାଗୁଣ୍ଡ, ବିସ୍କୁଟ୍, ପାଉଁରୁଟି, ମାଛ ଦାନା, ଅତର ମିଶାଇ ମାଛ ଖାଦ୍ୟ ପ୍ରସ୍ତୁତ ହୁଏ । ସେହି ଥୋପକୁ ବନିସ୍ କଂଟାରେ ଗୁଂଥି ମାଛ ମାରନ୍ତି ଲୋକେ । ପ୍ରତି ବର୍ଷ ନିର୍ଦ୍ଧିଷ୍ଟ କିଛି ମାସ ଏମିତି ମାଛଧରା ହୁଏ । ଅନ୍ୟ ସମୟରେ ପୋଖରୀରେ ମାଛ ଯାଏଁଳ ଛାଡି ପୋଖରୀ ପ୍ରସ୍ତୁତ କରିଥାନ୍ତି ମାଲିକ ।