କମିସନରେଟ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ! ପୁଣି ଭୁବନେଶ୍ୱର ବରମୁଣ୍ଡାରେ ଫୁଟିଲା ଗୁଳି, ବସ ମାଲିକଙ୍କୁ ବ୍ଲାଙ୍କ ପଏଣ୍ଟରୁ ଗୁଳି ମାଡ

42

କନକ ବ୍ୟୁରୋ : ପୂଜା ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ଗୁଳି । ରାତି ପ୍ରାୟ ସାଢେ ଗୋଟାଏରେ ବରମୁଣ୍ଡା ନିକଟରେ ଜଣେ ବସ୍ ମାଲିକଙ୍କୁ ଗୁଳି କରାଯାଇଛି । ସାମାନ୍ୟ ଗାଡି ଧକ୍କାରୁ ଗୁଳିକାଣ୍ଡ ହୋଇଥିବା ବେଳେ ଏଥିରେ ବସ୍ ମାଲିକ ଗୁରତର ଆହତ ହୋଇଛନ୍ତି । ପୂଜା ପୂର୍ବରୁ ଦାଗୀଙ୍କୁ ସାବାଡ କରିବା ପାଇଁ ପୋଲିସ, ଟ୍ୱିନ ସିଟିର ମୋଟ ୫୦୦ ଜଣ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିଥିବା ବେଳେ ଦୁର୍ବୁତମାନେ ବେଧଡ଼କ ଗୁଳିମାଡ଼ କରି କମିଶନରେଟ ପୁଲିସକୁ ଦେଇଛନ୍ତି ଖୋଲା ଚ୍ୟାଲେଂଜ ।

ଭୁବନେଶ୍ୱର, ବରମୁଣ୍ଡା କାଳିମନ୍ଦିର । ସମୟ – ରାତି ପ୍ରାୟ ସାଢେ ୧ଟା । ଶୁଭିଲା ବନ୍ଧୁକର ଗର୍ଜନ – ଫୁଟିଲା ଗୁଳି । ସଂପର୍କ ବସ୍ ମାଲିକ ପ୍ରୀତମ ଜେନାମଣୀଙ୍କୁ ବ୍ଲାଙ୍କ ପଏଂଟରୁ ଗୁଳି । ଟାର୍ଗେଟରେ ଥିଲା ପ୍ରୀତମଙ୍କ ମୁଣ୍ଡ, ହେଲେ ଗୁଳି ବାଜିଥିଲା ଡାହାଣ ହାତର ଖଂଜାରେ । ଜୀବନ-ମୃତ୍ୟୁର ଇଂଚେ ବ୍ୟବଧାନରେ ବର୍ତି ଯାଇଥିଲେ ପ୍ରୀତମ । ସାମାନ୍ୟ ଗାଡ଼ି ଧକ୍କାରୁ ହୋଇଥିଲା ଏଭଳି କାଣ୍ଡ । ବୋଲେରୋ ପିକଅପ୍ ଭ୍ୟାନରେ ଥିଲେ ୪ଜଣ ଦୁର୍ବୁତ, କେହି କିଛି ବୁଝିବା ଆଗରୁ ଗର୍ଜନ କରି ଉଠିଥିଲା ସେମାନଙ୍କ ବନ୍ଧୁକ । ଗୁଳିମାଡ ପରେ ହାତରେ ମଦ ବୋତଲ ଧରି ଏନଏଚରେ ବୋବାଲ କରୁଥିଲେ ଏହି ଅପରାଧୀ, ଆଉ ଗୁଳିମାଡ଼ରେ ଘାଇଲା ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ପ୍ରୀତମ ।

ପୂଜା ପୂର୍ବରୁ ଦାଗୀଙ୍କୁ ସାବାଡ କରିବା ପାଇଁ ଟ୍ୱିନ ସିଟିର ମୋଟ ୫୦୦ ଜଣ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ୧୧୦ ସିଆରପିସିରେ ୧୧୪ ଜଣଙ୍କୁ ଏବଂ ୧୧୭ ଜଣ ଅପରାଧୀଙ୍କ ବିରୋଧରେ ଜାରି କରାଯାଇଛି ଏନବିଡବ୍ଲ୍ୟୁ । ହେଲେ ଦୁର୍ବୁତମାନେ ବେଧଡ଼କ ଗୁଳିମାଡ଼ କରି କମିଶନରେଟ ପୁଲିସକୁ ଦେଇଛନ୍ତି ଖୋଲା ଚ୍ୟାଲେଂଜ । କଥାକଥାକେ ଗୁଳିମାଡ କରିଥିବା ଦୁର୍ବୁତ ମାନେ କିଏ? ବସ୍ ମାଲିକଙ୍କୁ କାହିଁକି ବନାଇଲେ ଟାର୍ଗେଟ? ସହର ଭିତରେ କଡା ନାକାବନ୍ଦି ସତ୍ୱେ ଗୁଳିମାଡ କରି କେମିତି ଚମ୍ପଟ ମାରିଲେ ସେମାନେ? ଏସବୁକୁ ନେଇ ତଦନ୍ତ କରୁଛି ପୁଲିସ ।