ବିଜେପିକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀଙ୍କ କଡା ସମାଲୋଚନା: ୨୦୦ରୁ ୨୨୦ ଆସନରେ ବିଜେପି ସୀମିତ ରହିବା ନେଇ ଭବିଷ୍ୟବାଣୀ

701

କନକ ବ୍ୟୁରୋ: ଆମେରିକା କଂଗ୍ରେସର ଜଣେ ବରିଷ୍ଠ ସାଂସଦ ଭାରତରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବା ନେଇ ଆକଳନ କରିଛନ୍ତି । ମାତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ସ୍ୱାମୀ ବିଶିଷ୍ଟ ଅର୍ଥନୈତିଜ୍ଞ ପ୍ରକଲା ପ୍ରଭାକର ଲୋକସଭା ନିର୍ବାଚନରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ବିଜେପି ୨୦୦ରୁ ୨୨୦ ଆସନ ମଧ୍ୟରେ ସୀମିତ ରହିବ ବୋଲି ପ୍ରଭାକର ତାଙ୍କ ଆଳକନରେ ଦର୍ଶାଇଛନ୍ତି ।

ଭାରତର ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନିର୍ମଳା ସୀତାରମଣ ସ୍ୱାମୀ ତଥା ବିଶିଷ୍ଟ ଅର୍ଥନୈତିଜ୍ଞ ପ୍ରକଲା ପ୍ରଭାକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ଏନଡିଏ ଉପରେ ନିଜର ଭିନ୍ନ ମତ ଦେବାକୁ ପଛାଇ ନାହାଁନ୍ତି । ଉତର ଭାରତରେ ବିଜେପି ଏଥର ୮୦ରୁ ୯୦ ଟି ଆସନ ହରାଇବ ବୋଲି ସେ ଆକଳନ କରିଛନ୍ତି । ଏହାସହ ସରକାର ଗଠନ ପାଇଁ ଏନଡିଏକୁ ଯଥେଷ୍ଟ ସଂଖ୍ୟକ ଆସନ ମିଳିବାରେ ପ୍ରଭାକର ସନ୍ଧିଆନ ଅଛନ୍ତି ।

ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ପ୍ରଭାକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିବ୍ର ସମାଲୋଚନା କରିବା ସହ ନିର୍ବାଚନ ପରେ ଏକ ଅଣବିଜେପି ସରକାର ଗଠନ ହେବ ବୋଲି ଆକଳନ କରିଛନ୍ତି । ଯଦି ବିଜେପି ତୃତୀୟ ଥର ପାଇଁ କ୍ଷମତାକୁ ଆସେ ତାହେଲେ ଦେଶରେ ଲଦାଖ, ମଣିପୁର ଭଳି ସ୍ଥିତି ସୃଷ୍ଟି ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ପୂର୍ବରୁ ପ୍ରଭାକର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆର୍ଥିକ ନୀତିକୁ ନାପସନ୍ଦ କରି ପୂର୍ବ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ଆର୍ଥିକ ନୀତିକୁ ଆପଣାଇବାକୁ ପରାମର୍ଶ ଦେଇଥିଲେ । ବାରମ୍ବାର ମୋଦୀଙ୍କ ସମାଲୋଚନା କରୁଥିଲେ ମଧ୍ୟ ପ୍ରକଲା ପ୍ରଭାକରଙ୍କ ବିରୋଧରେ ବିଜେପିର କୌଣସି ବରିଷ୍ଠ ନେତା ଅବା ଆଇଟି ସେଲ ତାଙ୍କୁ ବିରୋଧ ନକରିବା ଆଶ୍ଚର୍ଯ୍ୟଜନକ ।