ଫିଲ୍ମ ‘ପଦ୍ମାବତୀ’କୁ ନେଇ ହଙ୍ଗାମା ! ଚିତୋରଗଡ଼ରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ବ୍ୟାପିଛି ବିରୋଧର ନିଆଁ

75

ସଂଜୟ ଲୀଳାବଂଶାଲୀଙ୍କ ବହୁ ଚର୍ଚ୍ଚିତ ପଦ୍ମାବତୀକୁ ନେଇ ଚାଲିଛି ମହାଭାରତ । ଏହି ଚଳଚିତ୍ର ଉପରେ ବ୍ୟାନ ଲଗାଇବାକୁ ଦାବି କରୁଛନ୍ତି ବିଭିନ୍ନ ସଂଗଠନ । ବିଶେଷ କରି ଏହି ଚଳଚିତ୍ରରେ ସୁଲତାନ ଆଲ୍ଲାଉଦ୍ଦିନ ଖିଲଜି ଓ ରାଣୀ ପଦ୍ମାବତୀ ମଧ୍ୟରେ ଏକ ରୋମାଂଟିକ୍ ସିନକୁ ନେଇ ବିବାଦ ଉପୁଜିଛି । ରାଜପୁତ ସଂଗଠନ କହୁଛନ୍ତି, ଏହି ଚଳଚିତ୍ରରେ ରାଣୀ ପଦ୍ମାବତୀଙ୍କ ସହ ଆକ୍ରମଣକାରୀ ଆଲ୍ଲାଉଦ୍ଦିନ ଖିଲଜିର ଏକ ଉଦ୍ଭଟ ସିନ୍ ରହିଛି । ଯେଉଁଥିରେ ପଦ୍ମାବତୀଙ୍କ ସହ ଆଲ୍ଲାଉଦ୍ଦିନ ଖିଲିଜ ସ୍ୱପ୍ନରେ ରୋମାନ୍ସ କରୁଛନ୍ତି । ଚିତୋରର ରାଣୀ ପଦ୍ମାବତୀଙ୍କୁ ରାଜପୁତମାନେ ଦେବୀ ଭଳି ମାନୁଥିବା ବେଳେ ସଂଜୟ ଲୀଳା ବଂଶାଲୀଙ୍କ ଏଭଳି କାଳ୍ପନିକ ଚିତ୍ରନାଟ୍ୟକୁ ବରଦାସ୍ତ କରିପାରୁନାହାନ୍ତି ରାଜପୁତ ସଂପ୍ରଦାୟ ।

ଚିତୋରଗଡ୍, କୋଟା, ମୁମ୍ବାଇ, ଉଦୟପୁର, ଜୟପୁର, ଦିଲ୍ଲୀ, ଅହମଦାବାଦରେ ରାଜପୁତମାନେ ବିଦ୍ରୋହକୁ ଓହ୍ଲାଇଆସିଛନ୍ତି । ରାଜସ୍ଥାନରେ ଏହି ସିନେମା ରିଲିଜ୍ କରାଇ ନଦେବାକୁ ରାଜପୁତ କରନି ସମାଜ ଦାବି କରିଛି । ନିର୍ଦ୍ଦେଶକ ସଂଜଲ ଲୀଲା ବଂଶାଲୀଙ୍କ କୁଶ ପୁତଳିକା ଦାହ କରିବା ସହ ତାଙ୍କୁ କଡ଼ା ସମାଲୋଚନା କରିଛି ରାଜପୁତ କରନୀ ସେନା । ସେପଟେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି କରି ବଂଶାଲୀ ନିଜ ସଫେଇ ଦେଇଛନ୍ତି ।

ପଦ୍ମାବତୀ ଚଳଚିତ୍ର ଡିସେମ୍ବର ୧ ତାରିଖରେ ମୁକ୍ତିଲାଭ ହେବାକୁ ଥିବାବେଳେ ଏହା ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଅନୁରୋଧ କରାଯାଇଥିଲା । ଯାହାକୁ ଖାରଜ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ନାୟାଳୟ । ଫିଲ୍ମରେ ଅଭିନେତ୍ରୀ ଦୀପିକା ପାଦୁକୋଣ ରାଣୀ ପଦ୍ମାବତୀ ଚରିତ୍ରରେ, ଆଲ୍ଲାଉଦ୍ଦିନ୍ ଖିଲଜୀ ଚରିତ୍ରରେ ରଣବୀର ସିଂ ଏବଂ ସାହିଦ କପୁର୍ ରାୱଲ ରତନ ସିଂହ ଚରିତ୍ରରେ ଦେଖିବାକୁ ମିଳିବ । ଗୋଟିଏ ପଟେ ବିବାଦ ଜୋର ଧରିଥିବା ବେଳେ ରାୱଲ ରତନ ସିଂହ ସିଂହାସନରେ ବସିଥିବାର ଏକ ଫଟୋ ଶୁକ୍ରବାର ରିଲିଜ ହୋଇଛି ।