ଆରମ୍ଭ ହେଲା ଫୁଟବଲ ମହାସମର : ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିଲା ଆରବୀୟ ଝଲକ

120

କନକ ବ୍ୟୁରୋ : କାତାରରେ ଆରମ୍ଭ ହେଲା ଫୁଟବଲର ମହାସମର ଫିଫା ବିଶ୍ୱକପ୍ । ୮୮ ବର୍ଷ ପରେ କାତାର ଆୟୋଜକ ଭାବେ ବିଶ୍ୱକପରେ ପଦାର୍ପଣ କରିଛି । କାତାରର ଅଲ୍ ବାୟତ୍ ଷ୍ଟାଡିୟମରେ ଅଧଘଣ୍ଟାର ଉଦଧାଟନୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଫ୍ରାନ୍ସର ପୂର୍ବତନ ଖେଳାଳି ମାର୍ସେଲ ଡିସେଲିଙ୍କଠାରୁ ଗତ ସଂସ୍କରଣର ବିଜେତା ଫ୍ରାନ୍ସ ତରଫରୁ ମାର୍ସେଲ ବିଶ୍ୱକପ୍ ଟ୍ରଫି ହସ୍ତାନ୍ତର କରିଥିଲେ । ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିଲା ଆରବୀୟ ଝଲକ । ବରିଷ୍ଠ ଆମେରିକୀୟ ଅଭିନେତା ମୋର୍ଗାନ୍ ଫ୍ରିମ୍ୟାନ୍ ଅଭିନୟ ମାଧ୍ୟମରେ ବିଶ୍ୱ ଏକତା ଉପରେ ବାର୍ତ୍ତା ଦେଇଥିଲେ ।

ପଛକୁ ପଛ ଆରବିକ୍‌ ପରମ୍ପରାର ଝଲକ ଭିତରେ ଆରମ୍ଭ ହୋଇଥିଲା ନାଚ ଗୀତର ଆସର । ‘ପ୍ଲିଜ୍‌ ଡୋଣ୍ଟ ଟେକ୍‌ ମି ଟୁ ହୋମ୍‌’, ‘ଓଲେ ଓଲେ ‌ଓଲେ’ ଟ୍ରାକ୍‌ର ତାଳେ ତାଳେ ନୃତ୍ୟ ପରିବେଷଣ ହୋଇଥିଲା । ଦକ୍ଷିଣ କୋରିଆ ବିଟିଏସ୍‌ ବ୍ୟାଣ୍ଡ୍‌ର ପପ୍‌ଷ୍ଟାର୍‌ ଜଙ୍ଗ କୁକ୍‌ ‘ଡ୍ରିମର୍ସ’ ପରିବେଷଣ କରିଥିଲା ବେଳେ କାତାରୀ ଗାୟକ ଫହାଦ୍‌ ଅଲ୍‌ କୁବୈସି ଷ୍ଟାଡିୟମ୍‌ର ଉଷ୍ମତାକୁ ବଢ଼ାଇ ଦେଇଥିଲେ । ହେଲେ ଯେଉଁ ବଡ଼ବଡ଼ ତାରକାମାନେ ଏଠାରେ ଗୀତ ଓ ନୃତ୍ୟ ପରିବେଷଣ କରିବେ ବୋଲି କୁହାଯାଇଥିଲା, ‌ତାହା ଦେଖିବାକୁ ମିଳିନଥିଲା ।

ଶେଷ ଆଡ଼କୁ ବିଗତ ବିଶ୍ବକପ୍‌ଗୁଡ଼ିକର ମାସ୍କଟ ସହିତ ଚଳିତ ଥରର ମାସ୍କଟ ‘ଲାଇବ୍‌’ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବିଶ୍ବକପ୍‌ର ଏହି ଉଦ୍‌ଘାଟନୀ ସମାରୋହରେ ବିଶ୍ବର ବଡ଼ବଡ଼ ନେତାମାନେ ମଧ୍ୟ ଏକାଠି ହୋଇଥିଲେ । ଆଲ୍‌ଜେରିଆନ୍‌ ରାଷ୍ଟ୍ରପତି ଆବଦେଲ୍‌ମାଜିଦ୍‌ ତେବୁନ୍‌, ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମୁଦ ଆବାସ, ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟରେସ୍, ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ୍‌ ଫତା ଅଲ୍‌ ସିସି, ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋ ପ୍ରମୁଖ ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ଥିଲେ ।