ବୃଦ୍ଧ, ମାଆ ବାପାଙ୍କ ଘରୁ ତଡ଼ିଦେଲେ ପୁଅ ବୋହୂ । ମୁଣ୍ଡ ଉପରୁ ଛାତ ଯିବା ପରେ ଶଶ୍ମାନରେ ଆଶ୍ରୟ ନେଲେ ବୃଦ୍ଧ ଦମ୍ପତିଙ୍କ ସହ ସ୍ୱାମୀ ପରିତ୍ୟକ୍ତ ଝିଅ ଓ ୩ ନାତିନାତୁଣୀ

88

କନକ ବ୍ୟୁରୋ: ବୟସର ଅପରାହ୍ଣରେ ଯେଉଁ ପୁଅ ସାହାରା ଦେବା କଥା.. ଆଜି ସେ ପୁଅ ପାଇଁ ବୋଝ ପାଲଟିଛନ୍ତି ବୃଦ୍ଧ ବାପା, ମାଆ । ମୃତ୍ୟୁ ପରେ ପୁଅ କାନ୍ଧରେ ବାପା, ମାଆ ମଶାଣି ଯାଆନ୍ତି । ହେଲେ ବଞ୍ଚି ଥାଉ ଥାଉ ବୃଦ୍ଧ ବାପା, ମାଆଙ୍କୁ ମଶାଣିକୁ ପଠାଇ ଦେଇଛନ୍ତି ପୁଅ, ବୋହୂ । ଘରୁ ତଡ଼ିଦେବା ପରେ ବୃଦ୍ଧ, ବାପା, ନିଜ ଝିଅ ୩ନାତି ନାତୁଣୀଙ୍କୁ ଧରି ୨ ଦିନ ହେବ ମଶାଣିରେ ରହୁଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଆମ୍ବେରୀ ପଞ୍ଚାୟତର ବିଲଅରିଲୋ ଗାଁରେ ଏହି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ।

ବାବାଜୀ ସେଠୀ, ତାଙ୍କ ପତ୍ନୀ କାଞ୍ଚନ ସେଠୀ, ଝିଅ ଏବଂ ୩ ନାତି ନାତୁଣୀକୁ ଘରୁ ତଡ଼ି ଦେଇଛନ୍ତି ପୁଅ, ବୋହୂ । ଆଉ ଏହି ଯନ୍ତ୍ରଣାକୁ ସହି ନପାରି ମାଆ ଆଖିରୁ ଝଳି ପଡ଼ୁଛି ଦୁଇ ଧାର ଲୁହ । ଜନ୍ମ କଲା ପୁଅ ଯେତେବେଳେ ନିଜର ହେଲାଣି କାହା ଉପରେ ଭରସା କରିବେ ଏହି ବୁଢ଼ା ବାପା,ମାଆ ।

ବାପ, ପୁଅଙ୍କ ଭିତରେ ଏହି ବିବାଦ ବହୁ ପୁରଣା । ଏନେଇ ଗାଁରେ ନାଏବ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତିରେ ବୈଠକ ବସିଥିଲା । କିନ୍ତୁ ନାଏବ ସରପଞ୍ଚଙ୍କ ସମେତ ଗାଁଲୋକଙ୍କୁ ବୋହୁ ଗାଳିଗୁଳଜ କରିବା ଯୋଗୁଁ ବୈଠକରୁ ଉଠି ସମସ୍ତେ ଚାଲି ଯାଇଥିବା ଅଭିଯୋଗ ହୋଇଛି । ଏହାର ପରଦିନ ପୁଅ ବୋହୁ, ବାପା ମାଆ ସମେତ ଝିଅ ଓ ନାତି ନାତୁଣି ତିର୍ତ୍ତୋଲ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଥାନାରେ ପୋଲିସ ଉପସ୍ଥିତିରେ ସମସ୍ୟାର ସମାଧାନ କରାଯାଇ ବିବାଦ ନକରିବାକୁ ଲିଖିତ ଆକାରରେ ଦେଇଥିଲେ । କିନ୍ତୁ ଦୁଇ ଦିନ ପରେ ପୁଣି ଶାଶୁ, ଶ୍ୱଶୁରଙ୍କୁ ବୋହୁ ଘରୁ ତଡିଦେଇଥିବା ଅଭିଯୋଗ ହୋଇଛି । ଫଳରେ ମଶାଣୀର ଶବଦାହ ଘରେ ଆଶ୍ରୟ ନେଇଛନ୍ତି । ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ଏନେଇ ଖବର ପାଇବା ପରେ ବାବାଜୀ ସେଠୀଙ୍କ ପରିବାରକୁ ଆଣି ଅଙ୍ଗନବାଡି କେନ୍ଦ୍ରରେ ଥଇଥାନ କରିବା ସହ ପ୍ରଶାସନକୁ ଅବଗତ କରାଇଛନ୍ତି । ତେବେ ପୁଲିସ ଓ ପ୍ରଶାସନ ଘଟଣାର ତୁରନ୍ତ ହସ୍ତକ୍ଷେପ କରି ବୃଦ୍ଧ ବାପା, ମାଆଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।