ପୁରୀରେ ହୋଟେଲ ନାଁରେ ନକଲି ସାଇଟ୍: ଅନଲାଇନରେ ବୁକିଂ କରି ଫସିଲେ ପର୍ଯ୍ୟଟକ

355

କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀକୁ ପ୍ରତ୍ୟକ ଦିନ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ, ସମୁଦ୍ର ବେଳାଭୂମିରେ ବୁଲି ମଜା ଉଠାଇଥାନ୍ତି । ପର୍ଯ୍ୟଟକଙ୍କ ରହିବା ପାଇଁ ସହରରେ ରହିଛି ହୋଟେଲ, ଧର୍ମଶାଳା, ପାନ୍ଥଶାଳା । ଆଜିକାଲି ବାହାରୁ ଆସୁଥିବା ପର୍ଯ୍ୟଟକମାନେ ହୋଟେଲରେ ରହିବା ପାଇଁ ଆଗୁଆ ବୁକିଂ କରୁଛନ୍ତି । ଆଉ ତାର ସୁଯୋଗ ନେଇ ଠକ ସକ୍ରିୟ ହୋଇଛନ୍ତି । ନକଲି ୱେବସାଇଟ ଖୋଲି ରୁମ୍ ବୁକିଂ ନାଁରେ ପର୍ଯ୍ୟଟକଙ୍କୁ ଠାରୁ ଲୁଟୁଛନ୍ତି ଟଙ୍କା । ଖଡଗପୁର ଆଇଆଇଟିର ତିନି ଛାତ୍ର ଠକାମିର ଶିକାର ହେବା ପରେ ପୂରା କାହାଣୀ ପଦାକୁ ଆସିଛି ।

ଶ୍ରୀକ୍ଷେତ୍ର ପୁରୀରେ ଯେତେବେଳେ ପର୍ଯ୍ୟଟକଙ୍କ ଭିଡ ଲାଗୁଛି, ହୋଟେଲ ରୁମର ଚାହିଦା ବଢ଼ିଛି, ସେତିିକିବେଳେ ମାତିଛନ୍ତିି ଠକ୍ । ଇଂଟରନେଟରେ ନକଲି ସାଇଟ୍ ଖୋଲି ହୋଟେଲ ରୁମ ଯୋଗାଇ ଦେବାକୁ ବିଜ୍ଞାପନ ଦେଉଛନ୍ତି । ଆଉ ଯିଏ ସେହି ନକଲି ସାଇଟରେ ରୁମ୍ ବୁକ୍ କଲା, ସେ ଫସିଲା । ଖଡଗପୁର ଆଇଆଇଟିର ଛାତ୍ର ଓ ତାଙ୍କର ବନ୍ଧୁ ସେମିତି ଫସିବା ପରେ ସାମନାକୁ ଆସିଛି ପୁରା କାହାଣୀ ।  ଅନଲାଇନରେ ସର୍ଚ୍ଚ କରି ହୋଟେଲ ରୁମ୍ ବୁକିଂ କରିବାର ଏ ହେଉଛି ସ୍କ୍ରିନ୍ ସଟ୍ । ଏଥିରେ ସ୍ପଷ୍ଟ ଭାବରେ ଉଲେଖ ରହିଛି,ହୋଟେଲର ନାଁ ଓ ସେମାନେ କେତେ ଟଙ୍କା ପଇଠ କରିଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ସମ୍ପୃକ୍ତି ପିଲାଙ୍କୁ ହୋଟେଲ ରୁମ୍ ମିଳିଲାନି କି ଟଙ୍କା ଫେରି ପାଇଲେନି ।

ଛାତ୍ରଙ୍କ କହିବା ଅନୁସାରେ ସେ ଓ ତାଙ୍କର ସାଂଗ ଅନଲାଇନରେ ସର୍ଚ କରି ପୁରୀ ବଳିଆପଣ୍ଡା ମେରାଇନ ଡ୍ରାଇଭ ରୋଡ୍ରେ ଥିବା ହୋଟେଲ ବଙ୍ଗଲକ୍ଷ୍ମୀରେ ରହିବାକୁ ସ୍ଥିର କରିଥିଲେ । ଗୁଗୁଲ ସାଇଟ୍ରେ ଥିବା ହୋଟେଲର ମୋବାଇଲ୍ ନମ୍ବରରେ ଯୋଗାଯୋଗ କରି ଟଙ୍କା ପଠାଇଥିଲେ । କିନ୍ତୁ ଟଙ୍କା ପାଇବା ପରେ ରସିଦ୍ ମିଳିବ ବୋଲି କୁହାଯାଇଥିଲେ ମଧ୍ୟ ରସିଦ୍ ଦିଆଯାଇନଥିଲା । ଯାହାକୁ ନେଇ ସନ୍ଦେହ ଉପୁଜିଥିଲା । ତାପରେ ହୋଟେଲର ଲ୍ୟାଣ୍ଡଲାଇନ୍ ନମ୍ବରକୁ ଫୋନ୍ କରିବାକୁ ତାହା ନକଲି ବୋଲି ଜଣାପଡ଼ିଥିଲା ।

କେବଳ ଏହି ଗୋଟିଏ ସାଇଟ୍ ନୁହେଁ, ଏହିଭଳି ୨୦ରୁ ଅଧିକ ନକଲି ସାଇଟ୍ ଖୋଲାଯାଇ ରାଜ୍ୟ ବାହାରୁ ଅପରେଟ୍ କରାଯାଉଛି । ବ୍ୟାଙ୍କ ଆକାଉଂଟ ନମ୍ବର ଦିଆଯାଇ ସେଥିରେ ବୁକିଂ ରାଶି ମଧ୍ୟ ନିଆଯାଉଛି । ହେଲେ ଗ୍ରାହକ ପହଂଚିବା ବେଳକୁ ସେଭଳି କିଛି ସାଇଟ୍ ହୋଟେଲର ନଥିବା ଜାଣିବାକୁ ପାଉଛନ୍ତି । ଯାହା ପର୍ଯ୍ୟଟକଙ୍କୁ ନିରାଶ କରୁଛି । ତେବେ ପୁଲିସ ପ୍ରଶାସନ ଏହାକୁ ରୋକିବା ପାଇଁ ସେଭଳି ପଦକ୍ଷେପ ନନେବା ଚିନ୍ତାର ବିଷୟ ହୋଇଛି ।