ପ୍ରମାଣ ନଷ୍ଟ ପାଇଁ ସୁପାରିକିଲରଙ୍କୁ ମର୍ଡର: ହତ୍ୟା କରି ଜଙ୍ଗଲରେ ପୋତିଦେଲେ

1,174

କନକ ବ୍ୟୁରୋ: ପ୍ରମାଣ ନଷ୍ଟ ପାଇଁ ସୁପାରୀ କିଲରକୁ ହତ୍ୟା । ପଦାକୁ ଆସିଲା ଯୁବକଙ୍କୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିବା ଘଟଣାର ପୁରା ସତ । ଗୁଣୁପୁର ‘ଆଶା’ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କ ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ହଟିଲା ପର୍ଦ୍ଦା । ତାଙ୍କ ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷର ଡିଲ୍ । ପରେ ଗୌରୀ ମିଶ୍ରଙ୍କ ହତ୍ୟାକାରୀ ସୁପାରୀ କିଲରକୁ ବି ମାରିଦିଆଯାଇଥିଲା । ଗୁଣୁପୁର ଏହି ହତ୍ୟାକାଣ୍ଡ ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି ।

ହତ୍ୟା ପାଇଁ ସୁପାରୀକିଲରକୁ ଟଙ୍କା ଦିଆଯାଇଥାଏ । କିନ୍ତୁ ସୁପାରୀକିଲରଙ୍କୁ ହତ୍ୟା କଲାଭଳି ଚାଂଚଲ୍ୟକର ଘଟଣା ଘଟିଛି ଗୁଣପୁରରେ । ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ ଖୋଦ ସୁପାରୀକିଲରଙ୍କୁ ହତ୍ୟା କରିଛନ୍ତି । ଆଉ ହତ୍ୟା ପରେ ବିଶାଖାପାଟଣାର ଏକ ଜଙ୍ଗଲରେ ପୋତିଦେବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ପୁଲିସ ଘଟଣା ସ୍ଥଳରେ ପହଂଚି ପୋତା ଯାଇଥିବା ଶବକୁ ଉଦ୍ଧାର କରିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଛି । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଆର.କ୍ରିଷ୍ଣା, ଆକୁଲା ଗୋବିନ୍ଦ ଓରଫ ସିକେଙ୍କ ସମେତ ୯ଜଣଙ୍କୁ ପୁଲିସ ଉଠାଇ ଆଣିଛି ।

ମେ, ୧୩
ସମୟ-ରାତି ୯ଟା ୩୦
ସ୍ଥାନ-ବଂଶଧାରା ସେତୁ
ବଂଶଧାରା ସେତୁ ଉପରେ ଘଟିଥିଲା ଗୌରୀ ମିଶ୍ର ହତ୍ୟାକାଣ୍ଡ । ସୁପାରୀକିଲର ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ଆର.କ୍ରିଷ୍ଣାଙ୍କ ସହ ଗୌରୀ ମିଶ୍ରଙ୍କ ଜମିଜମା ବିବାଦ ଲାଗିରହିଥିଲା । ଆଉ ଗୌରୀମିଶ୍ରଙ୍କୁ ରାସ୍ତାରୁ ହଟାଇବା ଲାଗି ଭି,ରାଜେଶଙ୍କ ସହ ଡିଲ କରିଥିଲେ କ୍ରିଷ୍ଣା । ଆଉ ଯୋଜନା ମୁତାବକ ଗୌରୀ ମିଶ୍ରଙ୍କୁ ହତ୍ୟା କରିଥିଲେ ଭି. ରାଜେଶ ଓ ଅନ୍ୟ ଅଭିଯୁକ୍ତ ।

ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷର ଡିଲ୍
ଟଙ୍କା ନ ମିଳିବାରୁ ଆରମ୍ଭ ହୋଇଥିଲା ବିବାଦ
ତେବେ ଡିଲ ଟଙ୍କା ନମିଳିବାରୁ ଭି.ରାଜେଶ ଓ ଆର.କ୍ରିଷ୍ଣାଙ୍କ ମଧ୍ୟରେ ବିବାଦ ହୋଇଥିଲା ।
-ପ୍ରଥମ କିସ୍ତି ଆକାରରେ ୧ ଲକ୍ଷ ଟଙ୍କା ନେଇଥିଲେ ରାଜେଶ
-ଆଉ ଦୁଇଟି କିସ୍ତିରେ ୧ ଲକ୍ଷ ୯୦ ହଜାର ମିଳିଥିଲା

ତେବେ ଡିଲ ଟଙ୍କା ନମିଳିବାରୁ ହତ୍ୟା ଘଟଣା ପର୍ଦ୍ଦାଫାଶ କରିଦେବାକୁ ଧମକ ଦେଇଥିଲେ ରାଜେଶ । ଆଉ କଥା ହେବା ବାହାନାରେ ମେ ୧୯ ତାରିଖରେ ରାଜେଶଙ୍କୁ, କ୍ରିଷ୍ଣା ଓ ଆକୁଲା ଗୋବିନ୍ଦ ବିଶାଖାପାଟଣା ସମୁଦ୍ର କୂଳକୁ ଡାକିଥିଲେ । ଆଉ ହତ୍ୟା କରି ବିଶାଖାପାଟଣା ଆନନ୍ଦପୁର ଗାଁ ନିକଟ ଜଙ୍ଗଲରେ ପୋତିଦେଇଥିଲେ । ରାଜେଶଙ୍କ ପରିବାର ରାଜେଶଙ୍କ ନିଖୋଜ ନେଇ ଥାନାରେ ଏତଲା ଦେଇଥିଲେ । ଅଭିଯୁକ୍ତଙ୍କୁ ଥାନାରେ ପଚରା ଉଚୁରା କରିବା ପରେ ସମସ୍ତ ଘଟଣା ପଦାକୁ ଆସିଛି । ବର୍ତମାନ ଘଟଣାର ପର୍ଦ୍ଦାଫାସ ହେବା ପରେ ଏହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।