ଭୁବନେଶ୍ୱରରେ ପରୀକ୍ଷା । ସମର ଭ୍ୟାକେସନରେ ଅଧ୍ୟାପକ! ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ!

218

କନକ ବ୍ୟୁରୋ: ଭୁବନେଶ୍ୱର ମହର୍ଷି କଲେଜରେ ଚାଲିଛି ପରୀକ୍ଷା, ହେଲେ ଛୁଟି କାଟିବାକୁ ଯାଇଛନ୍ତି ପରୀକ୍ଷା ଇନଚାର୍ଜ ଓ ସୁପରିନଟେଂଡେଣ୍ଡ । ଏପରି ଅଭିଯୋଗ ଆଣିଛନ୍ତି ଛାତ୍ର । ଶନିବାର ଦିନ ସାଢ଼େ ୧୦ଟା ବେଳେ ଯୁକ୍ତ ତିନିର ଶେଷ ବର୍ଷର ରାଜନୀତି ବିଜ୍ଞାନ ପରୀକ୍ଷା ଥିଲା । କିନ୍ତୁ ବହୁ ବିଳମ୍ବରେ ଅଧ୍ୟାପକ ପହଞ୍ଚି କେବଳ ଦସ୍ତଖତ କରି ଚାଲିଯାଇଥିଲେ । କେବଳ ସେତିକି ନୁହେଁ, ଏପର୍ଯ୍ୟନ୍ତ ସିଲାବସ୍ ସରିନଥିବା କହିଛନ୍ତି ଛାତ୍ରଛାତ୍ରୀ ।

  • ଭୁବନେଶ୍ୱରରେ ପରୀକ୍ଷା
  • ସମର ଭ୍ୟାକେସନରେ ଅଧ୍ୟାପକ!

ଭୁବନେଶ୍ୱର ମହର୍ଷି କଲେଜରେ ଦେଖାଦେଇଛି ଛାତ୍ର ଅସନ୍ତୋଷ । ଛାତ୍ରଙ୍କ ଅଭିଯୋଗ, ତାଙ୍କ ଭବିଷ୍ୟତକୁ ନେଇ କଲେଜ କର୍ତୃପକ୍ଷ ଖେଳ ଖେଳୁଛି । ପରୀକ୍ଷା ଭୁବନେଶ୍ୱରରେ ହେଉଛି, କିନ୍ତୁ ଏଗଜାକ ଇନଚାର୍ଜ ଆମେରିକାରେ ଅଛନ୍ତି । ଆଉ ଏଗଜାମ ସୁପରିନଟେଂଡେଣ୍ଡ ସମର ଭ୍ୟାକେସନରେ ଗୋଆ ପଳାଇଛନ୍ତି । ଆଉ ଏହାର ଫାଇଦା ନେଇ ଅଧ୍ୟାପକ ପରୀକ୍ଷା ହଲର ମାଟି ମାଡ଼ୁନାହାନ୍ତି । ଶନିବାର ଦିନ ସାଢ଼େ ୧୦ଟା ସମୟରେ ଯୁକ୍ତ ତିନିର ଶେଷ ବର୍ଷର ଆଜି ପଲିଟିକାଲ ସାଇନ୍ସ ପରୀକ୍ଷା ଥିଲା । କିନ୍ତୁ ଅଧ୍ୟାପକ ପହଞ୍ଚିଲେ ନାହିଁ । ଛାତ୍ରଙ୍କ ଠାରୁ ଆରମ୍ଭ କରି ପ୍ରିନ୍ସିପାଲଙ୍କ ପର୍ଯ୍ୟନ୍ତ ସାର୍ଙ୍କୁ ଫୋନ୍ ଲଗାଇବା ପରେ ବିଳମ୍ବରେ ଅର୍ଥାତ୍ ଦିନ ସାଢ଼େ ୧୨ଟାରେ ପରୀକ୍ଷା ହଲରେ ପହଞ୍ଚିଲେ ସତ, କିନ୍ତୁ ଦସ୍ତଖତ ମାରିଦେଇ ହଲ୍ ଛାଡ଼ିଦେଲେ ।

  • କେମିତି ଚାଲିଛି କଲେଜରେ ପରୀକ୍ଷା?
  • ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ!

କେବଳ ସେତିକି ନୁହେଁ, ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି, ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ହଲରେ ପହଞ୍ଚିଯାଇଛନ୍ତି ସତ, କିନ୍ତୁ ସିଲାବସ ସରିନାହିଁ । ମହର୍ଷି କଲେଜର ଏହି ଛାତ୍ରମାନେ ସିଲାବସ ଶେଷ କରିବାକୁ ଅଭିଯୋଗ ନେଇ ବାରମ୍ବାର ପ୍ରିନ୍ସିପାଲଙ୍କ ପାଖକୁ ଯାଇଛନ୍ତି । ତଥାପି ସିଲାବସ ଶେଷ ହୋଇନାହିଁ । ୟୁଟ୍ୟୁବ ଦେଖି ପାଠ ପଢ଼ ବୋଲି ଅଧ୍ୟାପକ କହିଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

  • ମହର୍ଷି କଲେଜରେ କାହିଁକି ବାରମ୍ବାର ଦେଖିବାକୁ ମିଳୁଛି ଛାତ୍ର ଅସନ୍ତୋଷ?
  • ପରୀକ୍ଷା ପାଖେଇଲେ ବି କାହିଁକି ସରୁନି ସିଲାବସ?
  • ପରୀକ୍ଷା ହଲକୁ କାହିଁକି ଆସୁନାହାନ୍ତି ଅଧ୍ୟାପକ?
  • ପରୀକ୍ଷା ଦାୟିତ୍ୱରେ ଥିବା ଅଧ୍ୟାପକଙ୍କୁ ସମର ଭ୍ୟାକେସନ୍ ପାଇଁ କିଏ ଦେଉଛି ଅନୁମତି?
  • କ’ଣ ହେବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ?