ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ କଟକଣା ଲଗାଇଲା ରୁଷ । ୫୦୦ ଜଣ ଆମେରିକୀୟଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଟିନ

287

କନକ ବ୍ୟୁରୋ : ଓବାମାଙ୍କୁ ରୁଷ ମନା । ଏଣିକି ରୁଷ ପ୍ରବେଶ ଉପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ ପ୍ରତିବନ୍ଧକ ଲାଗିଛି । ଖାଲି ଓବାମା ନୁହେଁ ଓବାମାଙ୍କ ସହ ୫୦୦ ଜଣ ଆମେରିକୀୟଙ୍କ ଉପରେ ଏହି ପ୍ରତିବନ୍ଧକ ଲାଗିଛି । ଆମେରିକା ତରଫରୁ ରୁଷ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଜବାବରେ ଏପରି ନିଷ୍ପତି ରୁଷ ସରକାର ନେଇଛନ୍ତି । ଦୀର୍ଘ ଦିନ ଧରି ଆମେରିକା ଓ ରୁଷିଆ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଛି । ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରଠାରୁ ଆମେରିକା ରୁଷ ଉପରେ ଉଭୟ କୂଟନୈତିକ ଓ ଅର୍ଥନୈତିକ ଚାପ ମଧ୍ୟ ଅନେକଥର ପକାଇଛି । ଆମେରିକା ୟୁକ୍ରେନକୁ ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ବହୁବାର ଅଭିଯୋଗ ଆଣିଛି ରୁଷ । ଏକ ଜାତୀୟ ଗଣମାଧ୍ୟମ ଅନୁସାରେ ରୁଷ ମନ୍ତ୍ରାଳୟ ଏକ ବୟାନରେ କହିଛି କି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ଓ ତାଙ୍କ ସହ ଯାଉଥିବା ମିଡିଆକୁ ଆମେରିକା ଯାତ୍ରା ପାଇଁ ଭିସା ଦେବା ପାଇଁ ଗତମାସରେ ଆମେରିକା ମନା କରିଦେଇଥିଲା । ଶୁକ୍ରବାର ଆମେରିକା ଅନେକ ରୁଷ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କୁ ବ୍ୟାନ୍ କରିଥିଲା । ଆଉ ଯାହାପରଠାରୁ ମସ୍କୋ ଆମେରିକାକୁ କଡା ଜବାବ ଦେବା ପାଇଁ ଅନାଇବସିଥିଲା । ସେହିପରି ବାଇଡେନ୍ ପ୍ରଶାସନ ନିୟମିତ ରୁଷ ବିରୋଧୀ କଟକଣାର ଜବାବ ସ୍ୱରୂପ ଏବେ କାଯ୍ୟାନୁଷ୍ଠାନ ନେଇଥିବା ନେଇ ରୁଷ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।