ଅବସରପ୍ରାପ୍ତ ଯବାନଙ୍କ ପରିବେଶ ଚିନ୍ତା । ଗଛ ମଣିଷ ପାଲଟିଛନ୍ତି କ୍ଷୀରୋଦ ଜେନା । ପେନସନ୍ ଟଙ୍କାରେ କରୁଛନ୍ତି ବୃକ୍ଷରୋପଣ ।

166

କନକ ବ୍ୟୁରୋ: ଦେଶର ସୁରକ୍ଷା ପାଇଁ ଦିନେ ସେ ସୀମାରେ ଜାଗ୍ରତ ପ୍ରହରୀ ସାଜିଥିଲେ, ଏ ଭିତରେ ଅବସର ନେଇ ସାରିଛନ୍ତି । ହେଲେ ଏବେ ବି ସେ ଜାଗ୍ରତ ପ୍ରହରୀ ସାଜିଛନ୍ତି । ଏବେ ପରିବେଶର ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଛନ୍ତି । ଆଉ ଏଥିପାଇଁ ଦିନରାତି ଉଦ୍ୟମ ଜାରି ରଖିଛନ୍ତି ଯାଜପୁର ଗୋପାଳପୁରର ଗଛ ମଣିଷ କ୍ଷୀରୋଦ ଜେନା । ଗଛ ହିଁ ପରିବେଶକୁ ସୁରକ୍ଷିତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ଏହି ବାର୍ତାକୁ ପ୍ରସାର କରିବା ସହ ନିଜେ ଗଛ ଲଗାଇଚାଲିଛନ୍ତି । ବର୍ଷ ବର୍ଷ ଧରି ନିଜ ଗାଁ ଓ ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ କରୁଛନ୍ତି । ହଜାର ହଜାର ଗଛ ଏବେ ତାଙ୍କରି ହାତରେ ବଡ଼ ହୋଇସାରିଲେଣି ।

ଖାଲି ଏତିକି ନୁହେଁ ଷୋଳ ପୁଅ ମା’ ପାହାଡ଼କୁ ସେ ସବୁଜ ବନାନୀରେ ପରିଣତ କରିସାରିଲେଣି । ବଡ଼କଥା ହେଉଛି ଏହି ଗଛ ଲଗାଇବା କାମରେ ଯେଉଁ ଅର୍ଥ ଖର୍ଚ୍ଚ ହୁଏ, ସେ ନିଜ ପକେଟରୁ ଖର୍ଚ୍ଚ କରୁଛନ୍ତି । ନିଜ ପେନସନ୍ ଅର୍ଥକୁ ଏହି ବୃକ୍ଷରୋପଣ କାମରେ ଲଗାଇଚାଲିଛନ୍ତି । ୧୭ ବର୍ଷ ତଳୁ ସେ ଏହି ପରିବେଶ ସୁରକ୍ଷା ପାଇଁ କାମ ଆରମ୍ଭ କରିଥିଲେ । ଏବେ ବି ଏହି କାମରେ ସେ ଲାଗିଛନ୍ତି । ସେତେବେଳେ ଏକାକୀ ଏହି ମହତ କାମରେ ନିଜକୁ ଉତ୍ସର୍ଗ କରିଥିଲେ । ଏବେ ତାଙ୍କ ସହ ଅନେକ ଲୋକ ଯୋଡ଼ି ହୋଇଛନ୍ତି । ପରିବେଶ ଓ ବୃକ୍ଷରୋପଣ ପାଇଁ କ୍ଷୀରୋଦ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏଥିପାଇଁ ତାଙ୍କୁ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି । ଏହାସହ ଭାରତୀୟ ସେନା ବାହିନୀର ବିଜୟ ଦିବସ ଆଟ୍ ହୋମରେ ସେ ଅତିଥି ହୋଇଥିଲେ । ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ ପାଇଁ ସେ ଏଥିରେ ଯୋଗଦେଇଥିଲେ । ଏହି ଅବସରରେ କ୍ଷୀରୋଦ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରତିରକ୍ଷାମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ ।