ଉତ୍ତର-ପୂର୍ବରେ ବଢୁଛି ବିଜେପିର ଆଧିପତ୍ୟ, ବିଜୟ ପରେ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ

81

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ମିଳିଛି ବଡ ସଫଳତା । ବିଧାନସଭା ନିର୍ବାଚନ ହୋଇଥିବା ତିନି ଉତର-ପୂର୍ବ ରାଜ୍ୟରୁ ତ୍ରିପୁରା ଏବଂ ନାଗାଲାଣ୍ଡରେ ବିଜେପି ଏବଂ ବିଜେପି ମେଂଟ ବିଜୟ ହାସଲ କରିଛି । ମେଘାଳୟରୁ ଝୁଲା ସରକାର ହେବା ସ୍ପଷ୍ଟ ହୋଇଛି । ବିଜୟ ପରେ ଦିଲ୍ଲୀ ମୁଖ୍ୟାଳୟରେ ବିଜେପି ପାଳିଛି ବିଜୟ ଉତ୍ସବ । ଆଉ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ‘ମୋଦି ମରିଯାଅ’ ବୋଲି କହୁଛନ୍ତି, ହେଲେ ଦେଶବାବାସୀ ‘ମୋଦୀ ଯାଅନାହିଁ’ ବୋଲି ସ୍ଲୋଗାନ ଦେଉଛନ୍ତି । ଉତର-ପୂର୍ବ ରାଜ୍ୟ ଦିଲ୍ଲୀଠୁ ଦୂର ନୁହେଁ ଅବା ଆମ ହୃଦୟଠୁ ନୁହେଁ । ବିଜେପି ପ୍ରତି ସଂଖ୍ୟାଲଘୁଙ୍କ ଭୟ ଥିବା ନେଇ ବିରୋଧୀ କରୁଥିବା ପ୍ରଚାରର ପର୍ଦାଫାଶ ହୋଇଛି । ନାଗାଲାଣ୍ଡ, ମେଘାଳୟ ଭଳି ସଂଖ୍ୟାବହୁଳ ଖ୍ରୀଷ୍ଟ୍ର୍ରିଆନ ରାଜ୍ୟରେ ବିଜେପି ସରକାର ଗଢିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଉତର-ପୂର୍ବ ରାଜ୍ୟରେ ଆଦୌ କ୍ଷମତାରେ ନଥିବା ବିଜେପି ଏବେ ସବୁଠୁ ଶକ୍ତିଶାଳୀ ଦଳ ହୋଇ ଉଭା ହୋଇଛି । ଉତର-ପୂର୍ବର ୮ ଟି ରାଜ୍ୟ ମଧ୍ୟରୁ ବିଜେପି ଅବା ବିଜେପି ମେଂଟ ସରକାର ଗଢିବାରେ ସମର୍ଥ ହୋଇଛି । ମେଘାଳୟକୁ ଛାଡି ମଣିପୁର, ମିଜୋରାମ, ଆସାମ, ତ୍ରିପୁରା, ଅରୁଣାଞ୍ଚଳ ପ୍ରଦେଶ, ସିକିମ, ନାଗାଲାଣ୍ଡରେ ବିଜେପି ଅବା ଏନଡିଏ ସରକାରରେ ଅଛି । ଏପଟେ ଏହି ସବୁ ରାଜ୍ୟରେ ଦିନେ କ୍ଷମତା ଥିବା କଂଗ୍ରେସ ଚଳିତ ନିର୍ବାଚନରେ ଅତ୍ୟନ୍ତ ଖରାପ ପଦର୍ଶନ କରିଛି । ତିନି ରାଜ୍ୟର ୧୮୦ ଆସନରୁ ୧୦ଟି ଆସନ ବି ଜିତିପାରିନାହିଁ କଂଗ୍ରେସ । ତ୍ରିପୁରାରେ ୩, ମେଘାଳୟରେ ୫ ଏବଂ ନାଗାଲାଣ୍ଡରେ ଗୋଟିଏ ବି ଆସନ ଜିତିପାରିନି କଂଗ୍ରେସ । ତ୍ରିପୁରାରେ ୬୦ ଆସନରୁୁ ବିଜେପି ୩୨ରେ ବିଜୟୀ ହୋଇଛି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି । ନାଗାଲାଣ୍ଡରେ ୬୦ ଆସନରୁ ବିଜେପି-ଏନଡିପିି ମେଂଟ (୧୨-୨୫) ସହ ସରକାରରେ ଆସିଛନ୍ତି । ମେଘାଳୟରେ କୌଣସି ଦଳ ମ୍ୟାଜିକ୍ ନମ୍ବର ଛୁଇଁ ପାରିନାହିଁ, ଏନପିପି ସର୍ବାଧିକ ୨୬ ଆସନ ଜିତିଛି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁୁ କର୍ଣ୍ଣାଟକ, ଛତିଶଗଡ, ମଧ୍ୟପଦେଶ, ମିଜୋରାମ, ରାଜସ୍ଥାନ, ତେଲେଙ୍ଗାନା, ଜାମ୍ମୁ, କାଶ୍ମୀରରେ ବିଧାନସଭା ନିର୍ବାଚନ ଅଛି । ଏସବୁ ରାଜ୍ୟର ଫଳାଫଳ ଯେ ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।