ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ମିଳିଛି ଅର୍ଚ୍ଚନାଙ୍କ ଏଣ୍ଡେଭର କାର । ଗତ ୧ ମାସର ସିସିଟିଭି ଫୁଟେଜ ଯାଂଚ କରିବ ଇଡି 

158

କନକ ବ୍ୟୁରୋ: ଲେଡି ବ୍ଲକମେଲର ଅର୍ଚନା ନାଗଙ୍କ ସମ୍ପର୍କରେ ଦିନକୁ ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବାରେ ଲାଗିଛି । ଅର୍ଚ୍ଚନାଙ୍କ ଯେଉଁ ଏଣ୍ଡେଭର କାରକୁ ଇଡି ଅଧିକାରୀ ଖୋଜୁଥିଲେ, ସେହି କାରକୁ ଜବତ କରାଯାଇଛି । ଏହି କାର ଏଠାକୁ କିଏ ଆଣିଲା , କାହିଁକି ଆଣିଲା ଏସବୁ ଜାଣିବାକୁ  ସେ ସ୍ଥାନର ପାଖାପାଖି ସବୁ ସିସିଟିଭର ୧ ମାସର ଫୁଟେଜକୁ ଯାଞ୍ଚ କରିବ ଇଡି ।

ଚର୍ଚ୍ଚାରେ ଥିବା ଅର୍ଚ୍ଚନାଙ୍କ ୩୩ ଲକ୍ଷ ଟଙ୍କାର ଏଣ୍ଡେଭର କାରକୁ ମଂଚେଶ୍ୱର ଶିଳ୍ପାଂଚଳରୁ ଠାବ କରିଛି ଇଡି । ପ୍ରଥମେ କାରକୁ ନେବା ପାଇଁ ଟୋଇଂ କାର ଡକାଯାଇଥିଲା । ହେଲେ କାର ପାର୍କିଂ ମୋଡରେ ଥିବାରୁ ନେବା ସମ୍ଭବପର ହୋଇନଥିଲା । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଗାଡିର ଡୋର ଖୋଲିପାରିନଥିଲା । ପରେ କାରକୁ ନେବା ପାଇଁ ବିଶେଷଜ୍ଞ ଦଳକୁ ଡକାଇଥିଲେ ଇଡି ଅଧିକାରୀ । କିଛି ସମୟ ପରେ ଏକ ମାଷ୍ଟର କି ଜରିଆରେ କାରର ଡୋର ଖୋଲାଯାଇଥିଲା । ଇଡି ଅଧିକାରୀ ଗାଡିର ଚେସିସ ଓ ଇଂଜିନ ନଂବର ଯାଂଚ କରିଥିଲେ । ଏହାପରେ ସେହି ନମ୍ବରକୁ ହ୍ୱାଟସଆପରେ ପଠାଇ ପୁଷ୍ଟି କରିଥିଲେ ଗାଡି କାହା ନାଁରେ ରହିଛି । ସେପଟୁ ମେସେଜ ଆସିବା ପରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏଣ୍ଡେଭର ଗାଡିଟି ଅର୍ଚ୍ଚନାଙ୍କର ବୋଲି ସ୍ପଷ୍ଟ କରିଥିଲେ ଇଡି ଅଧିକାରୀ ।

ଏଣ୍ଡେଭର କାରକୁ ଯାଂଚ କରିବା ପରେ ଇଡି ଅଧିକାରୀ କାରକୁ ଚଲାଇ ଇଡି କାର୍ଯ୍ୟାଳୟକୁ ନେଇଛନ୍ତି । ମାଷ୍ଟର କି ଏକ୍ସପର୍ଟ ଟିମ ଦେଲେ, ନା ଅର୍ଚ୍ଚନାଙ୍କ ଘରୁ ଚାବି ଖୋଜା ହୋଇ ଆସିଲା, ତାହା ଜଣାପଡି ନାହିଁ । ଆଗକୁ କାର ସୋରୁମ ମାଲିକକୁ ଡାକି ପୁଣି ଥରେ ପଚରା ଉଚରା କରିପାରନ୍ତି ଇଡି ଅଧିକାରୀ । ଏହାଛଡା ଗାଡି ସେଠାରେ କିଏ ନେଇ ରଖିଥିଲା ସେ ନେଇ ବି ଛାନଭିନ କରିବ ଇିଡି । ସ୍ଥାନୀୟ ଅଂଚଳର ସିସିଟିଭିକୁ ବି ଯାଂଚ କରାଯିବ । ଆଗକୁ ଇଡି ବଳିଷ୍ଠ ପ୍ରମାଣ ଯୋଗାଡ କରି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି ।