୧୨ଟି ଜାଲ କମ୍ପାନୀ ଚଲାଉଥିଲେ ଅର୍ପିତା ମୁଖାର୍ଜୀ : ମିଳିଲା ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର; ଓଡ଼ିଶାର କିଛି କଳାକାର ବି ସାମିଲ ଥିବା ସନ୍ଦେହ

321

କନକ ବ୍ୟୁରୋ : ୧୨ଟି ଜାଲ କମ୍ପାନୀ ଚଳାଉଥିଲେ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀ । ପ୍ରାଥମିକ ତଦନ୍ତ ଆଧାରରେ ଇଡି ଏହି ସୂଚନା ପାଇଥିବା ଜଣାପଡ଼ିଛି । ଅର୍ପିତାଙ୍କ ଜୋକା ଫ୍ଲାଟରେ ଚଢାଉ ସମୟରେ ଏ ସମ୍ପର୍କିତ କାଗଜପତ୍ର ଜବତ କରିଛି ଇଡି । ଏଥିରେ କିଛି ଅଭିନେତା ଏବଂ ଓଡ଼ିଶା, ତାମିଲନାଡୁର ବିଭିନ୍ନ ଫିଲ୍ମ ପ୍ରଡକ୍ସନ ହାଉସର ଲୋକମାନେ ବି ସମ୍ପୃକ୍ତ ଥିବା ସନ୍ଦେହ କରୁଛି ଇଡି ।

ସେଭଳି ଲୋକମାନଙ୍କ ଉପରେ ଏବେ ନଜର ରଖାଯାଇଛି । ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି । ଅର୍ପିତାଙ୍କ ବାସ ଭବନରୁ ନଗଦ ୨୦ କୋଟି ଟଙ୍କା ଜବତ ହେବା ପରେ ତାଙ୍କୁ ଗିରଫ କରିଛି ଇଡି । ଜବତ ହୋଇଥିବା ନଗଦ ଟଙ୍କା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ତାଙ୍କ ଘରୁ ବାହାରକୁ ଯିବା ପାଇଁ ଯୋଜନା ଥିଲା ବୋଲି ପଚରାଉଚରା ବେଳେ କହିଛନ୍ତି ଅର୍ପିତା । ଅର୍ପିତା ମୁଖାର୍ଜୀ ଓ ପାର୍ଥ ଚାଟାର୍ଜୀ ମିଳିତ ଭାବେ ସମ୍ପତିର ମାଲିକ ବୋଲି କହିଛନ୍ତି ଅର୍ପିତା ।