ଅର୍ଥ ଅଭାବରୁ ଅଧାରେ ଅଟକିଛି ପାଠପଢ଼ା: ବାପା ମା’ଙ୍କ ଦେହାନ୍ତ ପରେ ବେସାହାରା ହୋଇପଡ଼ିଛନ୍ତି କନ୍ଧମାଳର ଭାଇ-ଭଉଣୀ

76

କନକ ବ୍ୟୁରୋ: ଅର୍ଥ ଅଭାବରୁ ଅଧାରେ ଅଟକିଛି ପାଠପଢା । ବାପା ମା’ ଆରପାରିକୁ ଚାଲିଯିବା ପରେ ବୃଦ୍ଧା ଆଇଙ୍କ ପାଖରେ ମଣିଷ ହୋଇଛନ୍ତି ଫୁଲବାଣୀର ଭାଇ-ଭଉଣୀ ଝୁମକା ଦିଗାଲ ଏବଂ ବାବୁନା ଦିଗାଲ । ଏବେ ଆଇ ଚାଲିଯିବା ପରେ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି ଏହି ଭାଇ ଭଉଣୀ । ଭଉଣୀର ବୟସ ୨୦ ବର୍ଷ ହୋଇଥିବା ବେଳେ ଭାଇର ବୟସ ୧୭ ବର୍ଷ । ଦୁହେଁ ଭାଇ ଭଉଣୀ ବହୁ ଅସୁବିଧା ସତ୍ୱେ ସେମାନଙ୍କ ପାଠପଢା ଜାରି ରଖିଥିଲେ । ଝୁମୁକା ଜି. ଉଦୟଗିରି ସ୍ଥିତ ସୁଭଦ୍ରା ମହତବ ସେବା ସଦନରେ ରହି ଉଦୟଗିରି ସ୍ଥିତ କଲେଜରେ ଯୁକ୍ତ ୩ରେ ପଢୁଥିଲେ କିନ୍ତୁ ଅର୍ଥ ଅଭାବ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଶେଷ ବର୍ଷରେ କଲେଜ ଯିବା ବନ୍ଦ କରିଦେଇଛନ୍ତି ।

ଏବେ ପ୍ରାୟ ୫ ମାସ ହେଲା ଘରେ ଆସି ରହୁଛନ୍ତି । ସେହିଭଳି ତାଙ୍କ ଭାଇ ବାବୁନା ଦିଗାଲ ମଧ୍ୟ ଫୁଲବାଣୀ ସ୍ଥିତ ଆଇ.ଟି.ଆଇ ତାଲିମ ନେଉଥିଲେ କିନ୍ତୁ ବଡ ଭଉଣୀର ଦେଖାରେଖା କରିବା ପାଇଁ ସେ ମଧ୍ୟ ସେବେଠାରୁ ଆସି ଘରେ ରହୁଛନ୍ତି । ଆଉ ବର୍ତମାନ ବଡ ଦୟନୀୟ ଅବସ୍ଥାରେ ଭାଇ ଭଉଣୀ ଚଳୁଛନ୍ତି । ରାସନ କାର୍ଡରେ ପଂଚାୟତରୁ ୩୫ କିଲୋ ଚାଉଳ ବ୍ୟତିତ ସେମାନଙ୍କୁ ଆଉ କୌଣସି ସହାୟତା ମିଳୁନାହିଁ । ଗ୍ରାମବାସୀଙ୍କ ସହଯୋଗରେ କଷ୍ଟେମଷ୍ଟେ ଚଳୁଛନ୍ତି ଭାଇଭଉଣୀ । ଇଟା ମାଟିର ଅଜବେଷ୍ଟ ଘର ମଧ୍ୟ ଧିରେ ଧିରେ ନଷ୍ଟ ହେବାକୁ ବସିଲାଣି । ବର୍ତମାନ ବଂଚିବା ପାଇଁ ସଂଘର୍ଷ କରୁଥିବା ବେଳେ ଦୁହେଁ ପାଠ ପଢି ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ସେହି ସ୍ୱପ୍ନ ତାଙ୍କର ଅଧାରେ ରହିଯାଇଛି । କିଛି ସରକାରୀ ସହାୟତା ମିଳିଲେ ସେମାନେ ତାଙ୍କ ପାଠପଢ଼ା ଜାରି ରଖିପାରିବେ ବୋଲି କହିଛନ୍ତି । ପାଠପଢ଼ି ନିଜେ ଆତ୍ମନିର୍ଭର ହୋଇପାରିବେ ବୋଲି ଆଶା ରଖିଛନ୍ତି ।