ରାଜ୍ୟ ସରକାରଙ୍କ ପ୍ରତାରଣା ସହ କେନ୍ଦ୍ରର ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ । ଆଜିଠୁ ଜୋରଦାର ହେବ ଡ୍ରାଇଭରଙ୍କ ଆନ୍ଦୋଳନ ।

232

କନକ ବ୍ୟୁରୋ: ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ବିରୋଧ । ଆଜିଠୁ ଜୋରଦାର ହେବ ଡ୍ରାଇଭର ମାନଙ୍କ ଆନ୍ଦୋଳନ । ଆଇନ ପ୍ରତ୍ୟାହାର ଦାବିରେ ଦେଶ ବ୍ୟାପୀ ଆନ୍ଦୋଳନ ତୃତୀୟ ଦିନରେ ପହଁଞ୍ଚିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବସ୍, ଟ୍ରକ ଓ ଅନ୍ୟାନ୍ୟ ପରିବହନରେ ନିୟୋଜିତ ଡ୍ରାଇଭର ମାନେ ଆଜିଠୁ ଷ୍ଟିଅରିଂ ଛାଡି ରାଜାରାସ୍ତାରେ ହଲ୍ଲାବୋଲର ଚେତାବନୀ ଦେଇଛନ୍ତି ।

କେନ୍ଦ୍ରୀୟ ଆଇନ୍କୁ ବିରୋଧ ସହ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟି କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ଡ୍ରାଇଭର ମାନେ ଗାଡି ଛାଡି ଆନ୍ଦୋଳନରେ ସାମିଲ ହେଉଥିବା ବେଳେ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍ ହେବାର ଆଶଙ୍କା ଦେଖାଦେଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ମଧ୍ୟ ପ୍ରଭାବିତ ହେବାକୁ ଯାଉଥିବା ବେଳେ ଧାନ ମଣ୍ଡିରେ ମଧ୍ୟ ଏହି ବନ୍ଦର ପ୍ରଭାବ ପଡିଛି । ମଣ୍ଡି ମାନଙ୍କୁ ଟ୍ରକ ଆସୁନଥିବା ବେଳେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡିରହିବା କାରଣରୁ ଚାଷୀଙ୍କ ଚିନ୍ତା ବଢିଛି ।

ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ହେଉ ଅବା କଞ୍ଚାମାଲ ପରିବହନ ପଛରେ ଟ୍ରକ ପରିବହନର ଗୋଟିଏ ବଡ ଭୂମିକା ରହିଛି । ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁ ମାଲ ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେବା ସହ ଦରଦାମ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଡ୍ରାଇଭର ମାନେ ନୂଆ ଆଇନକୁ ବିରୋଧ କରିବା ସହ କହିଛନ୍ତି, ତାଙ୍କ ରୋଜଗାର କମ୍ କିନ୍ତୁ ଯେଉଁ ପରିମାଣ ଜୋରିମାନାରେ ରହିଛି ତାହା ବହୁତ ଅଧିକ ରହିଛି । ସବୁ ସ୍ଥାନରେ ଦୁର୍ଘଟଣା ବଡ ଗାଡି ପାଇଁ ହୁଏ ନାହିଁ କିନ୍ତୁ ନ୍ୟାୟ ବ୍ୟବସ୍ଥା ପ୍ରଥମେ ବଡ ଗାଡିକୁ ଅଭିଯୁକ୍ତ ବୋଲି ଦର୍ଶାଉଥିବାରୁ ଡ୍ରାଇଭର ସଂଘ ଚିନ୍ତାବ୍ୟକ୍ତ କରିଛି ।