କାଲିମେଳା ଡାକ୍ତର ଅମ୍ଲାନ ଭୋଇଙ୍କ ଅପହରଣ ନାଟକ ଉପରୁ ଏଯାଏଁ ଉଠିନି ପରଦା । ଏବେ ବି ସସପେନ୍ସ ଜାରି

21

କନକ ବ୍ୟୁରୋ: ରାଜଧାନୀରେ ମହିଳାଙ୍କ ଅପହରଣ ନାଟକ ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ। ହେଲେ ମାଲକାନଗିରି କାଲିମେଳା ଡାକ୍ତର ଅମ୍ଲାନ ଭୋଇ, ମାଓବାଦୀଙ୍କ ଦ୍ୱାରା ଅପହରଣ ନାଟକ ଉପରୁ ଏଯାଏଁ ପରଦା ଉଠିନାହିଁ । ପୁଲିସ ଡାକ୍ତରଙ୍କୁ କର୍ଣ୍ଣାଟକରୁ ଉଦ୍ଧାର କରିବାର ଏତେ ଦିନ ପରେ ବି ସସପେନ୍ସ ଜାରି ରହିଛି। ତେବେ ଡାକ୍ତର ଅମ୍ଲାନ ଲେଖିଥିବା ମାଓ ଚିଠି କିନ୍ତୁ କିଛି ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦେଶ କରୁଛି । କାଲିମେଳା ଡାକ୍ତରଖାନା ସହ ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗରେ ସବୁ କିଛି ଠିକଠାକ ଚାଲିନାହିଁ, ତା ଗନ୍ଧ ବାରି ହେଉଛି।

ଭୁବନେଶ୍ୱର ଟ୍ରାଇଡେଣ୍ଟ ଆପାର୍ଟମେଣ୍ଟରୁ ମହିଳାଙ୍କ ଅପହରଣ ନାଟକର ପର୍ଦାଫାସ୍ ପରେ ଏବେ କାଲିମେଳା ଡାକ୍ତର ଅମ୍ଳାନ ଭୋଇଙ୍କ ଅପହରଣ ନାଟକକୁ ନେଇ ଜୋରଦାର ଚର୍ଚ୍ଚା । କାହିଁକି ଅପହରଣ ନାଟକ ରଚିଥିଲେ ଅମ୍ଳାନ? ଡାକ୍ତର ଅମ୍ଳାନ ଅପହରଣ ଘଟଣାରୁ ପରଦା ହଟିଲାନି କାହିଁକି? ଚାକିରିରେ ଚାପ ନାଁ ବ୍ୟକ୍ତିଗତ ସମସ୍ୟା? ଚର୍ଚ୍ଚାରେ ଡାକ୍ତର ଅମ୍ଲାନଙ୍କ କାନ୍ଥରେ ଲଗା ଯାଇଥିବା ମାଓ ଚିଠି ।

କାଲିମେଳା ସ୍ୟାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଗତ ଜୁନ ୨ ତାରିଖରେ ନିଜ ବାସଭବନରୁ ନିଖୋଜ ହୋଇଯାଇଥିଲେ। ଜୁନ ୫ରେ କର୍ଣ୍ଣାଟକର ହରହୋଲି ଠାରୁ ତାଙ୍କୁ ଉଦ୍ଧାର କରିଥିଲା ପୁଲିସ। ତେବେ ଡାକ୍ତରଙ୍କ ଏହି ଚିଠି ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗର ଭିନ୍ନ ଦିଗକୁ ଦର୍ଶାଉଛି। ବାରମ୍ୱାର ଜୁନିୟର ଡାକ୍ତରଙ୍କୁ ହଇରାଣ କରାଯାଉଥିବା ଅଭିଯୋଗରେ ପ୍ରଶାସନ କୌଣସି ପଦକ୍ଷେପ ନନେବା, ଅମ୍ଳାନଙ୍କ ଚିଠିରେ ପ୍ରତିଫଳନ ହେଉଥିବା କୁହାଯାଉଛି ।

ଡେପୁଟେସନ ନାଁରେ ଚାଲିଛି ବଡ଼ ଖେଳ । ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ମୋଟ ୧୪ ଡାକ୍ତର, ୨୦ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ୧୦ ନର୍ସିଂ ଅଫିସର, ୪ ଫାର୍ମାସିଷ୍ଟଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତରଙ୍କ ନାଁରେ ଅଭିଯୋଗ ପରେ ୨୦୧୫ରେ ରାଜ୍ୟ ସରକାର ନିଲମ୍ୱନ କରି ଭେଜାଙ୍ଗିୱାଡାକୁ ବଦଳି କରିଥିଲେ। ପୁନର୍ବାର ତାଙ୍କୁ ଡେପୁଟେସନରେ କାଲିମେଳା ମେଡିକାଲ ଅଫିସର ଦାୟିତ୍ୱ ଦିଆଯାଇଛି। ତାଙ୍କ ନାଁରେ ଅଭିଯୋଗର ଲମ୍ବା ଫର୍ଦ୍ଦ ଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ଜୁନିୟର ଡାକ୍ତର ଅମ୍ଳାନ ଭୋଇ ମାନସିକ ଚାପରେ ଥିଲେ କି ବୋଲି ପ୍ରଶ୍ନ ଉଠିଛି।

ପୂର୍ବରୁ ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗରେ ବେସରକାରୀ ଚାକିରି, ସରକାରୀ ଦଲାଲ ମାମଲାରେ ଅନେକଙ୍କ ଚାକିରି ସଙ୍କଟରେ ପଡିଥିଲା । ଅନେକ ବେସରକାରୀ କର୍ମଚାରୀ ବିଚାରାଧୀନ କଏଦୀ ଭାବେ ଜେଲରେ ସଜା କାଟୁଛନ୍ତି। ତଥାପି ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗରେ ସବୁ କିଛି ଠିକ୍ ଠାକ୍ ଚାଲି ନାହିଁ ।