ଗୋଡ଼ ପାଇଁ ଦିବ୍ୟାଙ୍ଗ ଝିଅର ଗୁହାରୀ । ‘ମତେ ଗୋଡ଼ ଦିଅ ଚଳିବାରେ ହେଉଛି କଷ୍ଟ’

136

କନକ ବ୍ୟୁରୋ: ଦିବ୍ୟାଙ୍ଗ ଝିଅର ଗୁହାରୀ । ମତେ କୃତ୍ରିମ ଗୋଡ଼ ଦିଅ । ଗୋଡ଼ ନଥିବାରୁ ସୋନାଲୀ ମାଡ଼କାମୀଙ୍କୁ ଚାଲିପାରୁନାହାନ୍ତି । ଦିବ୍ୟାଙ୍ଗ ଅବସ୍ଥାରେ କେବେ କାହା ପାଇଁ ବୋଝ ପାଲଟି ନାହାନ୍ତି ନିଜ କାମ ନିଜେ କରନ୍ତି । କାଲିମେଳା ବ୍ଲକର ଆଦିବାସୀ ବହୁଳ ଭେଜାଙ୍ଗିବାଡ଼ା ପଞ୍ଚାୟତର କୋରକୁଣ୍ଡି ଗାଁର ସୋନାଲୀ ମାଡ଼କାମୀ । ଗରିବ ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ସୋନାଲୀ କିନ୍ତୁ ପାଠ ପଢ଼ି ବଡ଼ ମଣିଷ ହେବାକୁ ପିଲା ଦିନରୁ ସ୍ୱପ୍ନ ଦେଖି ଆସୁଛନ୍ତି । ସେ କିପରି ପାଠ ପଢ଼ି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ ସେଥିପାଇଁ ସଂଘର୍ଷ ଜାରି ରଖିଛନ୍ତି ।

କାଂଗୁରକୋଣ୍ଡାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିବା ସୋନାଲି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ କରିଛନ୍ତି । ଗୋଡ଼ ନଥିବାରୁ ଦୁଇ କିମି ଦୂର ଭେଜାଙ୍ଗିବାଡ଼ା ପଞ୍ଚାୟତ କାର୍ଯ୍ୟାଳୟକୁ ମଧ୍ୟ ଗୋଟିଏ ଗୋଡ଼ରେ ଭତ୍ତା ଆଣିବାକୁ ଯାଉଥିବାର କହିଛନ୍ତି ସୋନାଲି । ତାଙ୍କୁ ସରକାରୀ ସହାୟତା କହିଲେ ମାତ୍ର ମାସକୁ ୭ଶହ ଟଙ୍କା ଭତ୍ତା ଛଡ଼ା ଆଉ କିଛି ମିଳୁନାହିଁ । ଗୋଟିଏ କୃତିମ ଗୋଡ଼ ଯଦି ସରକାର ପ୍ରଦାନ କରନ୍ତି ତେବେ ତାଙ୍କୁ ଚାଲିବାରେ କଷ୍ଟ ହୁଅନ୍ତାନି ବୋଲି କହିଛନ୍ତି ସୋନାଲୀ । ଗୋଟିଏ ଗୋଡ଼ରେ ଚଲାବୁଲା କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିବାବେଳେ ଲକ୍ଷାଧିକ ଟଙ୍କା ଖର୍ଚ କରି କୃତିମ ଗୋଡ଼ ଲଗାଇବା ତାଙ୍କ ପରି ଗରୀବ ପରିବାର ପାଖରେ ଅସମ୍ଭବ ହୋଇଥିବାବେଳେ ସେ ଏଥିପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।