ଧର୍ମେନ୍ଦ୍ରଙ୍କ ରାବଣ ଉପାଖ୍ୟାନ: ଧାମନଗର ପ୍ରଚାର ମୈଦାନରୁ ତେରଛା ବାଣ ମାରିଲେ କେନ୍ଦ୍ରମନ୍ତ୍ରୀ

107

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ବୟାନ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଧର୍ମେନ୍ଦ୍ରଙ୍କ ଦୃଷ୍ଟିରେ କିଏ ରାବଣ ଓ କିଏ ଦୁର୍ଯ୍ୟୋଧନ ତାହା ସ୍ପଷ୍ଟ ହୋଇନଥିଲେ ରାଜନୈତିକ ଆଲୋଚନାକୁ ଖୋରାକ ଯୋଗାଇଛି । ଦୁଇ ଦିନ ହେଲା ଧାମନଗରର ବିଭିନ୍ନ ପଂଚାୟତରେ ପଦଯାତ୍ରା, ଶୋଭାଯାତ୍ରା କରି ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଚାର କରୁଛନ୍ତି ଧର୍ମେନ୍ଦ୍ର । ପ୍ରଚାର ସମୟରେ ନିର୍ବାଚନ ଫଳାଫଳକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ଧର୍ମେନ୍ଦ୍ର କହିଛନ୍ତି ଲଢ଼େଇ ଆରମ୍ଭ ହେଲା ।

ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ଧାମନଗରରେ ପ୍ରଚାର କରିଛନ୍ତି । ଦୁଇ ନେତା ଶହ ଶହ କର୍ମୀଙ୍କୁ ନେଇ ବିଭିନ୍ନ ପଂଚାୟତରେ ପଦଯାତ୍ରା, ଶୋଭାଯାତ୍ରା କରି ଦଳୀୟ ପ୍ରାର୍ଥୀ ସୂରଯ ସୂର୍ଯ୍ୟବଂଶୀଙ୍କ ପାଇଁ ଭୋଟ ମାଗିଛନ୍ତି ।

ବିଜେଡି ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର କରାଯାଉଛି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଗାଁକୁ ଗାଁ ବୁଲି ପ୍ରଚାର କରିଛନ୍ତି ଦଳର ହେଭିୱେଟ । ଧାମନଗରର କୁବେରାରେ ବିଧାୟକ ଅରୁଣ ସାହୁ ଓ ବିଧାୟକ ବ୍ୟୋମକେଶ ରାୟ ପ୍ରଚାର କରିଛନ୍ତି । ରାଲି ଓ ପ୍ରଚାର ସଭା କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ବଢୁଥିବା କହିଛନ୍ତି ।

ପୂର୍ବଦିନ ଭଳି ପୁଣି ପରସ୍ପର ବିରୋଧରେ ଅଭିଯୋଗ ଆଣି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେପି ଓ ବିଜେଡି । ସରକାରୀ କର୍ମଚାରୀଙ୍କୁ ଶାସକ ଦଳ ପ୍ରଚାରରେ ଲଗାଉଥିବାର ଫଟୋ ଓ ଭିଡିଓ ଦେଖାଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ବିଜେପି । ସେହିପରି ବିଜେପି ବିରୋଧରେ ପାଲଟା ଅଭିଯୋଗ ଆଣି ଧାମନଗରରେ କର୍ମୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛି ବିଜେଡି ।

ଦୁଇ ଦଳର ଆରୋପ ପ୍ରତ୍ୟାରୋପ ଭିତରେ ଧାମନଗରରେ ପ୍ରଚାର ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ । ଦୁଇ ଦଳର କର୍ମୀ କଥା କଟାକଟି ହେବା ସହ ଧସ୍ତାଧସ୍ତି ହେଉଥିବା ଦୃଶ୍ୟ କ୍ୟମେରାରେ କଏଦ ହୋଇଛି । ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋହଡା ପଂଚାୟତକୁ ପ୍ରଚାର ପାଇଁ ଆସୁଥିବାରୁ ତାଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଥିଲେ ବିଜେପି କର୍ମୀ । ଏହି ସମୟରେ ସରକାରୀ ଜାଗାରେ ଲାଗିଥିବା ଦଳୀୟ ବ୍ୟାନର ଓ ପତାକାକୁ ଖୋଲୁଥିଲା ପୁଲିସ । ସେତିକି ବେଳେ ବିଜେଡି କର୍ମୀ ପହଂଚି ବିଜେପି କର୍ମୀଙ୍କୁ ଗାଳିଗୁଲଜ କରିଥିଲେ । ବିଜେପି କର୍ମୀ ଏହାକୁ ପ୍ରତିବାଦ କରିବାରୁ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା ।