‘ଓଡିଶାରେ ଚାଲିଛି ଧ୍ରୁତରାଷ୍ଟ୍ର ଶାସନ’ । ଜନତା ମଇଦାନରୁ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ ।

71

କନକ ବ୍ୟୁରୋ: “କୁଆଡେ ଗଲା ରାଜ୍ୟ ସରକାରଙ୍କ କୃଷକଙ୍କ ପାଇଁ ଘୋଷଣା କରିଥିବା ୧୦ ହଜାର ଟଙ୍କା ? କାହିଁକି ଓଡିଶାରେ ବଢୁଛି ମାତୃ ଶିଶୁ ମୃତ୍ୟୁହାର? ଓଡିଶାରେ କାହିଁକି ପଛୁଆ ବର୍ଗଙ୍କୁ ଅବହେଳା କରାଯାଉଛି? କାହିଁକି ଆଜି ବି ରାଜ୍ୟରେ ଲୋକ ନିଜ ଆତ୍ମୀୟ ଜନର ଶବ ନେବାକୁ ସାଇକେଲ ଉପରେ ଭରସା କରୁଛନ୍ତି?”, କିଛି ଏଭଳି ପ୍ରଶ୍ନ କରି ଆଜି ଜନତା ମଇଦାନରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ।

ଆଜି ଦ୍ୱିତୀୟ ଦିନରେ ଜନତା ମଇଦାନରେ ଆୟୋଜିତ ହୋଇଛି ରାଜ୍ୟ ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମାବେଶ । ଏଥିରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ଜୋରଦାର ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, ନରେନ୍ଦ୍ର ମୋଦୀ କିଷାନ ସମ୍ମାନ ନିଧିରେ ୬ ହଜାର ଟଙ୍କା ଦେଲେ, ହେଲେ ଓଡିଶା ସରକାର ସଠିକ୍ ତାଲିକା ଦେଇପାରୁନାହାଁନ୍ତି । ନରେନ୍ଦ୍ର ମୋଦୀଙ୍କ ସରକାର ଚାଷୀଙ୍କୁ ଟଙ୍କା ଦେବାକୁ ଖଜଣା ଖୋଲା କରିଛନ୍ତି, ହେଲେ ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ରାଜ୍ୟର ଚାଷୀଭାଇ ମାନେ ଏହାର ଲାଭ ଉଠାଇ ପାରୁନାହାଁନ୍ତି । ଅନ୍ୟପଟେ ରାଜ୍ୟର ଏ ସରକାର ନିର୍ବାଚନ ସମୟରେ ଚାଷୀ ଭାଇଙ୍କୁ ଦେଇଥିବା ପ୍ରତିଶ୍ରୁତି ବି ରଖୁନି । ୧୦ ହଜାର ଟଙ୍କା ପ୍ରତିଶ୍ରୁତି ଏବେ କୁଆଡେ ଗଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଉଷୁନା ଚାଉଳ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କ୍ୱିଣ୍ଟାଲ ପିଛା ଧାନର ଦର ନରେନ୍ଦ୍ର ମୋଦୀ ୧୯୫୦ ଟଙ୍କା ଦେଲାବେଳେ, ଓଡିଶାର ଚାଷୀଙ୍କର ଧାନ କିଣାଯାଉନି । ଓଡିଶାର ଚାଷୀଙ୍କ ଧାନ ୧୨ ଶହ ୧୩ ଶହ ଟଙ୍କାରେ ମିଲର କିଣୁଛନ୍ତି । ସେପଟେ ଓଡିଶାର ମହିଳାମାନଙ୍କର ଦୁଃଖ ମଧ୍ୟ କହିଲେ ନସରେ । ଦେଶରେ ମୋଦୀଙ୍କ ସଫଳ ନୀତି ବଳରେ ମାତୃ-ଶିଶୁ ମୃତ୍ୟୁ ହାର କମୁଥିବାବେଳେ, ଓଡିଶାରେ କିନ୍ତୁ ଏହି ହାର ବଢିବାକୁ ଲାଗିଛି । ଓଡିଶାରେ ଧ୍ରୁତରାଷ୍ଟ୍ର କାରଣ ଯୋଗୁ, ଅନ୍ଧ ପୁଟୁଳି ବାନ୍ଧି ସରକାର ଚଳାଉଥିବା ଯୋଗୁ ଶିଶୁ-ମୃତ୍ୟୁ ହାର ବଢିବାରେ ଲାଗିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଓଡିଶାର ରାଜସ୍ୱ ବଢିଛି । ବାଜପେୟୀଙ୍କୁ ଛାଡିବା ପରେ କୌଣସି ସରକାର ସମୟରେ ଏତେ ଟଙ୍କା ରାଜ୍ୟକୁ ଆସିନଥିଲା । ଆଜି ସବୁ କ୍ଷେତ୍ରରେ ରାଜ୍ୟକୁ ଅନୁଦାନ ବଢିଛି । ହେଲେ ତା ପ୍ରତିବଦଳରେ ବିନା ଟେଣ୍ଡରରେ ଏ ରାଜ୍ୟ ସରକାର ଟଙ୍କା ବାଣ୍ଟୁଛନ୍ତି । ଓଡିଆ ଲୋକଙ୍କ ରାଜସ୍ୱ ଦଳୀୟ ପାଣ୍ଠି ନୁହେଁ ବୋଲି କହି ତେରେଛା ତୀର ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଓଡିଶା ହିଁ ଏକମାତ୍ର ରାଜ୍ୟ ଯିଏ ପଛୁଆ ଜାତି ଲୋକଙ୍କୁ ସ୍ୱୀକୃତି ଦେଉନି । ମୋଦୀ ଓବିସି କମିଶନ ବସାଇଲେ, ୨୭ ଜଣ ଓବିସି ନେତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି । ହେଲେ ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ଥିଲେ ବି, ନା କୌଣସି ସଂରକ୍ଷଣ ଅଛି, ନା କୌଣସି ସୁବିଧା ସୁଯୋଗ ସେମାନଙ୍କୁ ଦିଆଯାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଶେଷରେ କେନ୍ଦ୍ର ସରକାରଙ୍କ ପ୍ରତିଟି ଯୋଜନାକୁ ରାଜ୍ୟର ଘରେ ଘରେ ପହଞ୍ଚାଇବାକୁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ଧର୍ମେନ୍ଦ୍ର । ତା ସହିତ ପ୍ରଚାର ସର୍ବସ୍ୱ ସରକାରର ମୁଖା ନଖୋଲିବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ମୋର୍ଚ୍ଚାର ଭାଇ ଭଉଣୀମାନେ ଘରେ ବସିବେନି ବୋଲି ଧର୍ମେନ୍ଦ୍ର କହିଥିଲେ ।