ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ବୋଲରଙ୍କ ଚେତାବନୀ । ମେଲବୋର୍ଣ୍ଣ ମୋର ହୋମଗ୍ରାଉଣ୍ଡ, ଟିମ୍ ଇଣ୍ଡିଆ ସାବଧାନ ।

1,312

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ତେବେ ଅକ୍ଟୋବର ୨୩ରେ ହାଇଭୋଲଟେଜ ମୁକାବିଲା ଦେଖିବ ବିଶ୍ୱ । କାରଣ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଯେଉଁ ମ୍ୟାଚ୍ ଦେଖିବାକୁ କ୍ରିକେଟପ୍ରେମୀ ଉତ୍ସାହର ସହ ଅପେକ୍ଷା କରିଛନ୍ତି । କାରଣ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥାନ୍ତି କ୍ରିକେଟପ୍ରେମୀ । ଆଉ ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ହାଇଭୋଲଟେଜ ମହାମୁକାବିଲା ପୂର୍ବରୁ ଆରମ୍ଭ ହୋଇଛି ବାକଯୁଦ୍ଧ । ପାକିସ୍ତାନର କ୍ରିକେଟର ହାରିସ ରଉଫ କହିଛନ୍ତି, ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ମୋର ହୋମଗ୍ରାଉଣ୍ଡ । ତେଣୁ ଟି-୨୦ ବିଶ୍ୱକପରେ ଭାରତ ସର୍ତକ ରହୁ ।

ଅକ୍ଟୋବର ୨୩ରେ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ହିଁ  ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍ । ଆଉ ଏହାପୂର୍ବରୁ ହାରିସ କହିଛନ୍ତି, ଯଦି ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ କରିବି ତେବେ ଭାରତୀୟ ଟିମ୍ ମୋତେ ଖେଳିପାରିବ ନାହିଁ । ଟି-୨୦ ବିଶ୍ୱକପ ପାଇଁ ମୁଁ ବେଶ ଉତ୍ସାହିତ ଅଛି କାରଣ ଏହା ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ହେଉଛି । ଆଉ ମେଲବୋର୍ଣ୍ଣ ଗ୍ରାଉଣ୍ଡ ମୋର ହୋମଗ୍ରାଉଣ୍ଡ । ମେଲବୋର୍ଣ୍ଣ ଷ୍ଟାର୍ସ ପକ୍ଷରୁ ଖେଳୁଥିବାରୁ ଏଠାକାର ପରିବେଶ ଓ ସ୍ଥିତି ବାବଦରେ ପୂରା ଅବଗତ ଅଛି । କେମିତି ଭାରତ ବିପକ୍ଷରେ ଶାଣିତ ବୋଲିଂ କରିବି ସେନେଇ ଏବେଠୁ ରଣନୀତି ପ୍ରସ୍ତୁତିରେ ଲାଗିଛି । ଆଉ ଏଭଳି କହି ବିଶ୍ୱକପ ମ୍ୟାଚର ରୋମାଞ୍ଚକୁ ଆହୁରି ବଢାଇ ଦେଇଛନ୍ତି ହାରିସ ରଉଫ ।

ହାରିସ ରଉଫ ଏଭଳି ବଡ ବୟାନ ଦେବା ପଛର ଅନ୍ୟ କାରଣ ହେଉଛି ତାଙ୍କର ଫର୍ମ । ଗତ ଏସିଆ କପରେ ଦମଦାର ପ୍ରଦର୍ଶନ କରିଥିଲେ ହାରିସ । ଅନେକ ମ୍ୟାଚରେ ଦଳକୁ ବିଜୟର ମୁକୁଟ ପିନ୍ଧାଇଛନ୍ତି  ରଉଫ । ନିଜର ବୋଲିଂ ଗତିରେ ବ୍ୟାଟରଙ୍କୁ ଅଡୁଆରେ ପକାଉଥିବା ହାରିସ ଏବେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି ।  ଏହାଛଡା ହାରିସ କହିଛନ୍ତି, ଭାରତ-ପାକିସ୍ତାନ ମ୍ୟାଚ ସବୁବେଳେ ହାଇଭୋଲଟେଜ ମ୍ୟାଚ୍ ହୋଇଥାଏ । ଏଥିରେ ଉଭୟ ଟିମ ଉପରେ ପ୍ରବଳ ଚାପ ଥାଏ । ଗତ ଟି-୨୦ ବିଶ୍ୱକପରେ ମଧ୍ୟ ସମାନ ସ୍ଥିତି ଥିଲା, କିନ୍ତୁ ଆମେ ସବୁ ପ୍ରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । ଗତ ଟି-୨୦ ବିଶ୍ୱକପରେ ଭାରତକୁ ୧୦ ୱିକେଟରେ ମାତ୍ ଦେଇଥିଲା ପାକିସ୍ତାନ । ଏପରିକି ଏସିଆ କପର ସୁପର-୪  ମୁକାବିଲାରେ ମଧ୍ୟ ଭାରତକୁ ମାତ୍ ଦେଇଥିଲା ପାକିସ୍ତାନ । ତେଣୁ ଭାରତ ପାଖରେ ଚଳିତ ଟି-୨୦ ବିଶ୍ୱକପରେ ହିସାବ ବରାବର କରିବାର ସୁଯୋଗ ରହିଛି କିନ୍ତୁ ଏହା ଏତେ ସହଜ ହୋଇନପାରେ । କାରଣ ଭାରତ ନିଜର ଟି-୨୦ ବିଶ୍ୱକପ ଟିମରେ ପରିବର୍ତ୍ତନ କରିପାରେ ।

ଆହତ ସମସ୍ୟା ପାଇଁ ଟି-୨୦ ବିଶ୍ୱକପ ଦଳରୁ ବାଦ୍ ପଡିଛନ୍ତି ଭାରତର ଭରସାଯୋଗ୍ୟ ବୋଲର ଯଶପ୍ରୀତ ବୁମରା । ବୁମରାଙ୍କ ଅନୁପସ୍ଥିତିରେ ପାକିସ୍ତାନକୁ ମାତ୍ ଦେବା ଟିମ୍ ଇଣ୍ଡିଆ ପାଇଁ ଏତେଟା ସହଜ ହେବନି । କାରଣ ପାକିସ୍ତାନର ବୋଲିଂ ବାହିନୀ ଭଳି ପାକିସ୍ତାନର ବ୍ୟାଟିଂ କ୍ରମ ମଧ୍ୟ ବେଶ ଶକ୍ତିଶାଳୀ । ଯାହାକୁ ଭେଦ କରିବାକୁ ବୁମରାଙ୍କ ଭଳି ଅନୁଭବୀ ବୋଲରଙ୍କ ଆବଶ୍ୟକତା ରହିଥିଲା । କିନ୍ତୁ ବୁମରାଙ୍କ ବଦଳ ଖେଳାଳୀ ଭାବେ କାହାକୁ ଦଳରେ ସାମିଲ କରାଯିବ ତାହାକୁ ନେଇ ଏବେ ବିସିସିଆଇ ଅଙ୍କ କଷୁଛି ।