ବିଜେଡି ରାସ୍ତାରେ ଶିବସେନା କଣ୍ଟା, ଉପ-ବାଚସ୍ପତି ପଦ ପାଇଁ ଓଗାଳିଲା ବାଟ?

184

କନକ ବ୍ୟୁରୋ:ବିଜେଡି ରାସ୍ତାରେ କେଁ ପୁରାଇଲା ଶିବସେନା । ଲୋକସଭାର ଉପ-ବାଚସ୍ପତି ପଦ ପାଇଁ ବିଜେଡି ସାଂସଦଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ଆଜି ଏହାକୁ ବିରୋଧ କରିଛି ଶିବସେନା । ଉପ-ବାଚସ୍ପତି ପଦ ପାଇଁ ଶିବସେନା ପ୍ରଥମ ହକଦାର ବୋଲି ଯୁକ୍ତି କରିଛନ୍ତି ଶିବସେନା ସଂସଦୀୟ ଦଳ ନେତା ସଂଜୟ ରାଉତ । ଏନଡିଏ ବିରୋଧରେ ବିଜେଡି ନିର୍ବାଚନ ଲଢ଼ିଥିବା ବେଳେ କାହିଁକି, ଉପ-ବାଚସ୍ପତି ପଦ ବିଜେଡିକୁ ମିଳିବ ବୋଲି ପ୍ରଶ୍ନ କରିଛନ୍ତି ଏନଡିଏର ସବୁଠୁ ବଡ ସହଯୋଗୀ ଦଳ ।

ଲୋକସଭା ଉପ-ବାଚସ୍ପତି ପଦ ପାଇଁ ବିଜେଡି ସାଂସଦଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ଚିହିଁକି ଉଠିଛି, ଏନଡିଏର ସବୁଠୁ ବଡ ସହଯୋଗୀ ଦଳ ଶିବସେନା । ଉପ-ବାଚସ୍ପତି ପଦ ପାଇଁ ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ବିରୋଧ କରିଛି ଶିବସେନା । ଶିବସେନା ସଂସଦୀୟ ଦଳ ନେତା ସଂଜୟ ରାଉତ କହିଛନ୍ତି-ବିଜେଡି, ଓଡ଼ିଶାରେ ଏନଡିଏ ବିରୋଧରେ ନିର୍ବାଚନ ଲଢୁଥିଲା, ତେଣୁ କେମିତି ବିଜେଡିକୁ ଉପ-ବାଚସ୍ପତି ପଦ ଦିଆଯିବ?

ବିଜେପି ନେତୃତ୍ୱାଧିନ ଏନଡିଏର ସବଠୁ ବଡ ସହଯୋଗୀ ଦଳ ଭାବେ ଉଭା ହୋଇଛି ଶିବସେନା । ୨୦୧୯ରେ ଶିବସେନା ୧୮ଟି ଲୋକସଭା ଆସନ ଜିତିଥିବା ବେଳେ ଏନଡିଏରେ ଦ୍ୱିତୀୟ ସର୍ବାଧିକ ଆସନ ପାଇଥିବା ଦଳ ଭାବେ ସାମ୍ନାକୁ ଆସିଛି । ମୋଦିଙ୍କ ମନ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳରେ ସହଯୋଗୀ ଦଳକୁ ଗୋଟିଏ ଲେଖାଏଁ ମନ୍ତ୍ରୀପଦ ମିଳିଥିବା ବେଳେ ଏହି ଭାଗବଂଟାରେ ଅସନ୍ତୁଷ୍ଟ ହୋଇ ଜେଡିୟୁ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇନାହିଁ । ଆଉ ଏବେ ଉପ-ବାଚସ୍ପତି ପଦକୁ ନେଇ ବିଜେଡି ସାଂସଦଙ୍କ ନାଁ ଉଠିବା ପରେ ଏକ ପ୍ରକାର ଅସନ୍ତୋଷ ଜାହିର କରିଛି ଶିବସେନା ।

ସୂଚନା ଅନୁସାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଶିବସେନାକୁ ସଂଖ୍ୟା ଅନୁସାରେ ଅଧିକ ମନ୍ତ୍ରୀପଦ ଏବଂ ଭଲ ପୋଟଫୋଲିଓ ଦେବା ପାଇଁ ବିଜେପିକୁ ନିକଟରେ ଦାବି କରିଛନ୍ତି-ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଏପଟେ ଆସନ୍ତା ୮ ତାରିଖରେ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କୁହାଯାଉଛି-ନବୀନ, ଉପ-ବାଚସ୍ପତି ପଦ ନେଇ ହେଉଥିବା ଚର୍ଚ୍ଚା ଉପରେ ମଧ୍ୟ ଆଲୋଚନା କରିପାରନ୍ତି । ଆଉ ଏହାରି ଭିତରେ ଉପ-ବାଚସ୍ପତି ପଦ ନେଇ ବିଜେଡି ସାଂସଦଙ୍କ ନାଁ ଚର୍ଚ୍ଚାକୁ ଆସିବା ଏବଂ ଶିବସେନା ବିରୋଧ କରିବା ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ଏ ବିଷୟରେ ସେମିତି କିଛି ଜାଣିନଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଏସବୁ ଭିତରେ କିନ୍ତୁ ଶିବସେନା ଉଠାଇଥିବା ଆପତି ମୋଦି ସରକାରଙ୍କ ପାଇଁ ବଡ ଚ୍ୟାଲେଂଜ୍ ସୃଷ୍ଟି କରିଛି । କାରଣ ୧୬ ଲୋକସଭା ଆସନ ଜିତିଥିବା ଏନ୍ଡିଏ ସହଯୋଗୀ ଜେଡିୟୁ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇନଥିବା ବେଳେ ୧୮ ଆସନ ଜିତିଥିବା ଶିବସେନା ଉପ-ବାଚସ୍ପତି ପଦ ନେଇ କେଁ ପୁରାଇଛି ।