ଅମିତ ଶାହାଙ୍କ ଘୋଷଣା ପରେ ଜୟପୁର ସାହାରା କାର୍ଯ୍ୟାଳୟରେ ଜମାକାରୀଙ୍କ ଭିଡ଼ । ଅଫିସରେ ତାଲା ପଡ଼ିଥିବା ଯୋଗୁଁ ତେଜିଲା ଅସନ୍ତୋଷ ।

2,532

କନକ ବ୍ୟୁରୋ: ସାହାରା ଅଫିସ ଘେରିଲେ ଜମାକାରୀ । ସାହାରା ଇଣ୍ଡିଆରେ ଟଙ୍କା ଲଗାଇଥିବା ଜମାକାରୀଙ୍କ ଅର୍ଥ ଫେରସ୍ତ କରିବା ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା କରିଛନ୍ତି । ଏଥିପାଇଁ ହିତାଧିକାରୀଙ୍କୁ ଅନଲାଇନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ କୁହାଯାଇଛି । ଏଭଳି ସ୍ଥିତିରେ ଜୟପୁର ସାହାରା ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀମାନଙ୍କ ଭିଡ ଦେଖିବାକୁ ମିଳିଛି । କିଏ ବଣ୍ଡ ପେପର ପାଇବା ପାଇଁ ତ କିଏ ଜମା ଟଙ୍କାର ହିସାବ ପାଇଁ ଅଫିସ ଆଗରେ ଭିଡ ଜମାଇଛନ୍ତି । କିନ୍ତୁ ଅଫିସରେ ତାଲା ପଡିଛି । ଜମାକାରୀମାନେ ଅଫିସ ଘେରିବା ସହ ସାହାରା କର୍ମଚାରୀଙ୍କୁ ଅଫିସ୍ ଖୋଲିବାକୁ ବାଧ୍ୟ କରିଛନ୍ତି ।

ଏବେ ନଜର ପକାନ୍ତୁ, ସାହାରା ରିଫଣ୍ଡ ପୋର୍ଟାଲ୍ ଜରିଆରେ କେମିତି ଫେରି ପାଇବେ ଟଙ୍କା ।

କେମିତି ପାଇବେ ‘ସାହାରା’ ଟଙ୍କା?

  • https://mocrefund.crcs.gov.in ୱେବସାଇଟ୍ ବା ପୋଟାର୍ଲ ଖୋଲିବେ
  • ହୋମପେଜ୍ ଖୋଲିବା ପରେ ଜମାକାରୀ ରେଜିଷ୍ଟେସନ ସ୍ଥାନରେ କ୍ଲିକ୍ କରିବେ
  • ଆଧାର ନମ୍ବରର ଶେଷ ୪ଟି ସଂଖ୍ୟା ଏବଂ ଆଧାର ସହ ଥିବା ମୋବାଇଲ ନମ୍ବର ଦେବେ
  • ଏହାପରେ ଓଟିପି ଆସିବ, ତାହାକୁ ଉଦ୍ଦିଷ୍ଟ ସ୍ଥାନରେ ଲେଖିଲେ ପଞ୍ଜିକରଣ ଶେଷ ହେବ
  • ଲଗ୍ ଇନ୍ କରିବା ପରେ ଆଧାର ପାଇଁ ସମ୍ମତି ଦେବେ
  • ଆଧାର ନମ୍ବର ଲେଖି ଓଟିପି ଦେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିସ୍ତୃତ ତଥ୍ୟ ଆସିବ
  • ଜମାକାରୀ ତାଙ୍କ ଇମେଲ୍ ଉଲ୍ଲେଖ କରି ନେକ୍ସଟ୍ ଉପରେ କ୍ଲିକ୍ କରିବେ
  • ନିର୍ଦ୍ଦେଶାବଳୀ ଅନୁସାରେ ଆବେଦନ ପତ୍ର ଅପଲୋଡ୍ କରିବାକୁ ହେବ
  • ପ୍ରାପ୍ତ ରାଶି ୫୦ ହଜାର ଟଙ୍କାରୁ ଅଧିକ ଥିଲେ ପାନ୍କାର୍ଡ ବାଧ୍ୟତାମୂଳକ
  • ଭବିଷ୍ୟତ ପାଇଁ ଦାବି ଅନୁରୋଧ ନମ୍ବରକୁ ନୋଟ୍ କରି ରଖନ୍ତୁ
  • ପଞ୍ଜିକରଣ ପ୍ରକ୍ରିୟାରେ ସହଯୋଗ କରିବେ କମନ୍ ସର୍ଭିସ ସେଣ୍ଟର

ସାହାରାରେ ଜମା କରିଥିବା କ୍ଷୁଦ୍ର ଜମାକାରୀଙ୍କୁ ୫୦୦୦ କୋଟି ଫେରାଯିବ । ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ୧୦ ହଜାର ଟଙ୍କା ଫେରିପାଇବେ ଜମାକାରୀ । ଏଥିରେ ୧ କୋଟି ୭୮ ଲକ୍ଷ କ୍ଷୁଦ୍ର ଜମାକାରୀ ଉପକୃତ ହେବେ । ପରୀକ୍ଷାମୂଳକ ଭାବେ କରାଯାଉଥିବା ଏହି ବ୍ୟବସ୍ଥା ସଫଳ ହେଲେ ଅଧିକ ରାଶି ଫେରାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି ।