ଆସନ୍ତା ଜାନୁୟାରୀ ୬ରେ ହେବ ଦିଲ୍ଲୀ ମେୟର ପାଇଁ ନିର୍ବାଚନ । କିଏ ହେବ ଦିଲ୍ଲୀ ମେୟର ତାକୁ ନେଇ ସସ୍ପେନ୍ସ

105

କନକ ବ୍ୟୁରୋ : ଆସନ୍ତା ଜାନୁୟାରୀ ୬ରେ ହେବ ଦିଲ୍ଲୀ ମେୟର ପାଇଁ ନିର୍ବାଚନ । ବହୁ କଳ୍ପନାଜଳ୍ପନା ପରେ ଏନେଇ ତାରିଖ ସ୍ଥିର କରାଯାଇଛି । ଏମସିଡି କମିଶନ ମେୟର ନିର୍ବାଚନ ନେଇ ଉପରାଜ୍ୟପାଳ ବିନୟ ସକସେନାଙ୍କୁ ପଠାଯାଇଥିବା ପ୍ରସ୍ତାବକୁ ସେ ମଞ୍ଜୁରି ଦେଇଛନ୍ତି । ଗତ ଡିସେମ୍ବର ୪ରେ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ହୋଇଥିବା ବେଳେ ୭ ଡିସେମ୍ବରରେ ଫଳାଫଳ ପ୍ରକାଶ ପାଇଥିଲା । ୧୫ ବର୍ଷର ବିଜେପି ଶାସନ ଡୋରୀକୁ ବଦଳାଇ ଏଥର ଆପକୁ ଭରସା କରିଛନ୍ତି ଦିଲ୍ଲୀ ସହରବାସୀ । କିନ୍ତୁ ଏହାରି ଭିତରେ ସପ୍ତାହ ବିତିଥିଲେ ବି କିଏ ହେବ ମେୟର ତାହା ଜଣାପଡିନାହିଁ ।

୨୫୦ ଆସନ ବିଶିଷ୍ଠ ଦିଲ୍ଲୀ ମହାନଗର ନିଗମରେ ଚଳିତ ନିର୍ବାଚନରେ ୧୩୪ ଆସନ ଜିତି ବହୁମତ ହାସଲ କରିଛି ଆପ୍ । ବିଜେପିକୁ ମିଳିଛି ୧୦୪ଟି ଆସନ । ନବ ନିର୍ବାଚିତ କାଉଁସିଲରଙ୍କୁ ନେଇ ୬ ଜାନୁୟାରୀରେ ହେବାକୁ ଥିବା ପ୍ରଥମ ବୈଠକରେ ମେୟର ବଛାଯିବ । ନିୟମ ଅନୁଯାୟୀ ସଂଖ୍ୟା ଗରିଷ୍ଠତା ପାଇଥିବା ଦଳ ମେୟର ବାଛିବ । ହେଲେ ବିରୋଧୀ ଏହାକୁ ଚାଲେଞ୍ଜ କରିପାରିବେ । ଆଉ ଯଦି ବିରୋଧୀ ଚାଲେଞ୍ଜ କରନ୍ତି ତେବେ ମେୟର ପାଇଁ କାଉନସିଲର ମାନଙ୍କ ମଧ୍ୟରେ ନିର୍ବାଚନ ହେବ । ଯିଏ ଅଧିକ ସମର୍ଥନ ପାଇବ, ସେ ମେୟର ହେବ ।