ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଦାବି: କହିଲେ ବିଜେପି ଦେଇଛି ବଡ ଅଫର, ପାଲଟା ଜବାବ ରଖିଲା ବିଜେପି

245

କନକ ବ୍ୟୁରୋ: ସୋମବାର ସକାଳୁ ନିଜର ଟ୍ୱିଟର ପେଜରେ ଏଭଳି କିଛି କଥା ଲେଖି ନୂଆ ଦାବି କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ । ବିଜେପିକୁ ଟାର୍ଗେଟ କରିଛନ୍ତି ମନିଷ ସିସୋଦିଆ । ସିସୋଦିଆ ସ୍ପଷ୍ଟ ଶଦ୍ଧରେ ଲେଖିଛନ୍ତି କି ବିଜେପିଠୁ ତାଙ୍କୁ ମିଳିଛି ବଡ ଅଫର । ଆମ ଆଦମୀ ପାର୍ଟି ଛାଡି ବିଜେପିରେ ମିଶିଲେ ତାଙ୍କ ଉପରୁ ଇଡି ଓ ସିବିଆଇର ସମସ୍ତ ମାମଲା ପ୍ରତ୍ୟାହାର କରାଯିବ । ବିଜେପିରକୁ ଜବାବ ଦେଇ ସିସୋଦିଆ ଲେଖିଛନ୍ତି କି ସେ ମହାରାଣା ପ୍ରତାପଙ୍କ ବଂଶଜ । ସେ ରାଜପୁତ । ମୁଣ୍ଡ କଟିଯାଉ ପଛେ ଦୁର୍ନୀତିର ସାଥ କଦାପି ଦେବେ ନାହିଁ । ଏଥିସହ ସେ କାହାକୁ ଡରନ୍ତି ନାହିଁ ଓ ବିଜେପି ପାରୁ ପର୍ଯ୍ୟନ୍ତ ତାଙ୍କ ନାଁରେ ମାମଲା ରୁଜୁ କରୁ ବୋଲି ବିଜେପିକୁ ଖୁଲ୍ଲମଖୁଲ୍ଲା ଚ୍ୟାଲେଂଜ ଦେଇଛନ୍ତି ସିସୋଦିଆ ।

ସିବିଆଇ-ଇଡି ରୁଜୁ କରିଥିବା ମାମଲା ବନ୍ଦ କରିବାକୁ ମନିଷ ସିସୋଦିଆଙ୍କୁ ଆପ ଛାଡିବା ପାଇଁ ବିଜେପି ପ୍ରସ୍ତାବ ଦେଇଥିବା ଦାବି ସିସୋଦିଆ କରିବା ପରେ ହଇଚଇ ସୃଷ୍ଟି ହୋଇଛି । ବିଜେପି ଏହାକୁ କାଉଟଂର କରିବା ସହ ସିସୋଦିଆ ନିଶା ଖାଇ ଏଭଳି ମିଛ କଥା କହୁଥିବା କହିଛି ବିଜେପି ନେତା ପରଭେଶ ବର୍ମା । ଏଥିସହ ସିସୋଦିଆଙ୍କଠୁ ଜବାବ ମାଗି ବିଜେପି ନେତା ପରଭେଶ ବର୍ମା କହିଛନ୍ତି କି ଯଦି ଦାବିରେ ସତ୍ୟତା ରହିଛି ତେବେ ସିସୋଦିଆ ସର୍ବ ସମ୍ମୁଖରେ ଏହାକୁ ପ୍ରମାଣ କରନ୍ତୁ ।

ଦିଲ୍ଲୀରେ ଲାଗୁ ହୋଇ ପ୍ରତ୍ୟାହାର ହୋଇଥିବା ନୂଆ ଅବକାରୀ ନୀତିରେ ବ୍ୟାପକ ଦୁର୍ନିତି ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ସିବିଆଇ ମାମଲା କରିବା ସହ ସିସୋଦିଆ ଓ ଅନ୍ୟ କିଛି ନେତା ଓ ଅଧିକାରୀଙ୍କ ଘରେ ପ୍ରଥମ ଚଢାଉ କରିବା ପରେ ଜେରା କରୁଛି । ସେପଟେ ଇଡି ହାତକୁ ମାମଲା ହସ୍ତାନ୍ତର କରିପାରେ ସିବିଆଇ ।ଏହିି ସମ୍ପୂର୍ଣ୍ଣ ଘଟଣାକ୍ରମ ଭିତରେ ବିଜେପି ଆପ ମଧ୍ୟରେ ବାକଯୁଦ୍ଧ ଜୋରଦାର ହୋଇଛି ।