ଭାରତୀୟ ସେନାକୁ ଅତ୍ୟାଧୁନିକ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟର ବଡ ନିଷ୍ପତ୍ତି । ୨୮ହଜାର ୭୩୨ କୋଟିର ଅସ୍ତ୍ରଶସ୍ତ୍ର କିଣିବା ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

92

କନକ ବ୍ୟୁରୋ : ଚୀନ ଓ ଭାରତ ମଧ୍ୟରେ ୨ ବର୍ଷରୁ ଅଧିକ ସମୟ ଧରି ଲଦାଖ ସୀମାରେ ଉତ୍ତେଜନା ଭିତରେ ବଡ ପଦକ୍ଷେପ ନେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ଭାରତୀୟ ସେନାକୁ ଆଧୁନିକକରଣ କରିବା ପ୍ରସ୍ତାବ ଉପରେ ପ୍ରତିରକ୍ଷା ମନ୍ତ୍ରାଳୟ ମୋହର ମାରିଛି । ଯେଉଁଥିରେ ୨୮ ହଜାର ୭୩୨ କୋଟି ଟଙ୍କାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବାକୁ ମଞ୍ଜୁରୀ ମିଳିଛି । ଖୁବ ଶୀଘ୍ର ଭାରତୀୟ ସେନାକୁ ମିଳିବାକୁ ଯାଉଛି, ହାଇଟେକ୍ ସ୍ୱାର୍ମ ଡ୍ରୋନ, ବୁଲେଟପ୍ରୁଫ୍ ଜାକେଟ, ୪ଲକ୍ଷ କ୍ଲୋଜ କ୍ୱାର୍ଟର ବେଟେଲ କାର୍ବାଇନ, ରକେଟ, ଇନଫାନଟ୍ରି କମବାଟ ଭେହିକିଲ କମାଣ୍ଡ, ୧୪ଟି ଫାଷ୍ଟ ପାଟ୍ରୋଲିଂ ବୋଟ୍ ।

ଭାରତୀୟ ସେନାରେ ଏହି ଅସ୍ତ୍ରଶସ୍ତ୍ର ସାମିଲ ହେଲେ ଏଲଏସି, ପୂର୍ବ ସୀମାରେ ପାରମ୍ପରିକ ଯୁଦ୍ଧ, ହାଇବ୍ରିଡ ଯୁଦ୍ଧ ଓ ଆତଙ୍କବାଦର ମୁକାବିଲାରେ ସହାୟକ ହେବ । ମଙ୍ଗଳବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ତିନି ସେନା ପ୍ରମୁଖଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ସଶସ୍ତ୍ର ସୈନ୍ୟ ପାଇଁ ୨୮ ହଜାର ୭୩୨ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ବଡ କଥା ହେଉଛି, ଏହି ଅସ୍ତ୍ରଶସ୍ତ୍ର ସବୁ ସ୍ୱଦେଶୀ କଂପାନୀ ଠାରୁ କିଣାହେବ । ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବା ପାଇଁ ଘରୋଇ କଂପାନୀ ଠାରୁ ଅସ୍ତ୍ରଶସ୍ତ୍ର କିଣାଯିବ ବୋଲି ସୂଚନା ମିଳିଛି ।

– ଭାରତୀୟ ସେନାକୁ ୪ଲକ୍ଷ କ୍ଲୋଜ କ୍ୱାର୍ଟର ବ୍ୟାଟଲ କାର୍ବାଇନ ମିଳିବ
– ସୀମାରେ ମୁତୟନ ଯବାନ, ଆତଙ୍କବାଦ ମୁକାବିଲାରେ ବ୍ୟବହାର ହେବ
– ୨୦୦୫ରୁ କ୍ଲୋଜ କ୍ୱାର୍ଟର ବ୍ୟାଟଲ କାର୍ବାଇନ ପାଇଁ ଦାବି ହେଉଥିଲା
– ବିଆଇଏସ ଲେଭଲ ସିକ୍ସ ବୁଲେଟପ୍ରୁଫ୍ ଜାକେଟ ପ୍ରସ୍ତାବକୁ ମଞ୍ଜୁରୀ
– ସମ୍ମୁଖ ଯୁଦ୍ଧ, ସ୍ନାଇପର ଆକ୍ରମଣକୁ ପ୍ରତିହତ କରିପାରିବେ ଯବାନ
– ସ୍ଥଳସେନା ପାଇଁ ଇନଫାନଟ୍ରି କମ୍ବାଟ୍ ଭେହିକିଲ କମାଣ୍ଡକୁ ମଞ୍ଜୁରୀ
– ଭାରତୀୟ ସେନା ବ୍ୟବହାର କରିବେ ସ୍ୱାର୍ମ ଡ୍ରୋନ
– ଶତ୍ରୁପକ୍ଷ ଉପରେ ନଜର ରଖିବା ସହ ଆକ୍ରମଣ କରିହେବ
– ଜଳପଥକୁ ସୁରକ୍ଷିତ ରଖିବା ପାଇଁ ୧୪ଟି ସ୍ପିଡ ପାଟ୍ରୋଲିଂ ବୋଟ ମିଳିବ