ଦୀପାଳିଙ୍କୁ ଜଗୁଛନ୍ତି ଘରୋଇ ସୁରକ୍ଷାକର୍ମୀ: ଓଡି଼ଶା ପୋଲିସ ଉପରେ ନାହିଁ କି ଭରସା?

8,857

କନକ ବ୍ୟୁରୋ: ଦୁଇଜଣ ସଶସ୍ତ୍ର ସୁରକ୍ଷାକର୍ମୀ ଦୀପାଳି ଦାସଙ୍କୁ ଜଗି ରହିଛନ୍ତି । ଝାରସୁଗୁଡାରୁ ବିଜେଡି ପ୍ରାର୍ଥୀ ହେବା ପରେ ଦିବଙ୍ଗତ ମନ୍ତ୍ରୀ ନବଦାସଙ୍କ ଝିଅ ଦିପାଳି ଲୋକଙ୍କ ପାଖକୁ ଯାଉଛନ୍ତି । ନାମାଙ୍କନ କରିନଥିଲେ ମଧ୍ୟ ଏକପ୍ରକାର ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଆଉ ଲୋକଙ୍କ ଭିତରେ ବୁଲିବାଠୁ ଆରମ୍ଭ କରି ସଭା ସମିତିରେ ଯୋଗଦେବା ବେଳେ ପାଖେ ପାଖେ ରହୁଛନ୍ତି ୨ ଜଣ ସୁରକ୍ଷାକର୍ମୀ । ହେଉଥିବା ଚର୍ଚ୍ଚା ଅନୁସାରେ

– ୫ ଘରୋଇ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିଛନ୍ତି ଦୀପାଳି
– ଏକ ଏଜେନ୍ସି ଜରିଆରେ ରାଜ୍ୟ ବାହାରୁ ସୁରକ୍ଷାକର୍ମୀଙ୍କୁ ଅଣାଯାଇଛି
– ପ୍ରତି ସିଫ୍ଟରେ ୨ ଜଣ ଲେଖାଏଁ ଦୀପାଳିଙ୍କ ସହ ଡ୍ୟୁଟି କରୁଛନ୍ତି
– ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ନେଇ ଦୀପାଳି ସଭା, ସମିତିକୁ ଯାଉଛନ୍ତି

ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଦୀପାଳି । ଝାରସୁଗୁଡା ଏସପି ମଧ୍ୟ ଦୀପାଳିଙ୍କୁ କୌଣସି ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଇଛି ନା ନାହିଁ ସେନେଇ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାନ୍ତି ।

ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରିଥିଲା ଏଏସାଇ ଗୋପାଳ ଦାସ । ଏହି ମାମଲାର କ୍ରାଇମବ୍ରାଂଚ୍ ତଦନ୍ତ ଚାଲୁ ରହିଥିବା ବେଳେ କାମରେ ଅବହେଳା କରିଥିବା ଦର୍ଶାଇ ନବଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବନ କରାଯାଇଛି । ଏଭଳି ସ୍ଥିତିରେ ଦୀପାଳି ହୁଏତ ଓଡିଶା ପୋଲିସ ଉପରେ ଭରସା କରିପାରୁ ନାହାନ୍ତି ବୋଲି ଆକଳନ କରାଯାଉଛି । ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆର ସୂଚନା ଆଧାରରେ ଜିଲ୍ଲା ପୋଲିସ ପକ୍ଷରୁ ଦୀପାଳିଙ୍କ ସୁରକ୍ଷା ପାଇଁ ଜଣେ କନେଷ୍ଟବଳଙ୍କୁ ଯୋଗାଇ ଦିଆଯାଇଛି । ବାପାଙ୍କ ହତ୍ୟା ପରେ ଦୀପାଳିଙ୍କ ସୁରକ୍ଷା ପାଇଁ ତାଙ୍କୁ ପିଏସଓ ଯୋଗାଇ ଦିଆଯାଇଛି । ତେଣୁ ତାଙ୍କ ଘରୋଇ ସୁରକ୍ଷାକର୍ମୀଙ୍କ ସହ ଜିଲ୍ଲା ପୋଲିସ ପକ୍ଷରୁ ଯୋଗାଇ ଦିଆଯାଇଥିବା ପିଏସଓ ମଧ୍ୟ ଦୀପାଳିଙ୍କ ସହିତ ରହୁଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ପ୍ରସଙ୍ଗ କରି ପିଏସଓଙ୍କୁ ଫେରାଇ ଦେଇଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଓଡିଶା ପୋଲିସ ଉପରେ ତାଙ୍କର ଭରସା ନଥିବା ଅଭିଯୋଗ କରି ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଫେରାଇ ଦେବା ଭଳି ପଦକ୍ଷେପ ନେଇଥିଲେ । ଏବେ ବିଜେଡିରୁ ଟିକେଟ୍ ପାଇ ଝାରସୁଗୁଡା ଉପନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରସ୍ତୁତି କରୁଥିବା ଦୀପାଳି ଦାସ ନିଜ ପାଇଁ ବାହାର ରାଜ୍ୟରୁ ଘରୋଇ ସୁରକ୍ଷାକର୍ମୀ ନିୟୋଜିତ କରିବା ପୁଣିଥରେ ରାଜ୍ୟ ପୋଲିସ ଉପରେ ତାଙ୍କର ସନ୍ଦେହ ଥିବା ନେଇ ଆଶଙ୍କା ସୃଷ୍ଟି କରିଛି ।