ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି : ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

88

କନକ ବ୍ୟୁରୋ : ଆଜି ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା । ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା  । ଗଜଗତର ନାଥ ଜଗନ୍ନାଥ ବଡ଼ ଭାଇ ଓ ଭଉଣୀଙ୍କ ସହ ରତ୍ନବେଦୀରୁ ବାହାରି ସ୍ନାନମଣ୍ଡପରେ ବିରାଜମାନ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ପବିତ୍ର ସ୍ନାନପୂର୍ଣ୍ଣିମା ଉପଲକ୍ଷେ ସ୍ନାନବେଦୀରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ସ୍ନାନଯାତ୍ରା ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ପାଇଁ ମନ୍ଦିର ପ୍ରଶାସନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି । ସକାଳ ସାଢ଼େ ୪ଟାରୁ ପହଣ୍ଡି ଆରମ୍ଭ ହୋଇଛି । ଅପରାହ୍ଣ ୪ରୁ ୫ଟା ପର୍ଯ୍ୟନ୍ତ ମହାପ୍ରଭୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ । ରାତି ସାଢ଼େ ୭ରୁ ସାଢ଼େ ୯ଟା ପର‌୍ୟ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ସାହାଣମେଲା ଦର୍ଶନ କରିପାରିବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଆଗରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।

ଟ୍ରାଫିକ୍ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ୩୦୦ ପୁଲିସ ଅଫିସର ଓ ୧୨୪ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି । ଦର୍ଶନ ବେଳେ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ସାହାଣମେଲା ବାଦ୍ ପହଣ୍ଡି ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା କରାଯାଇଛି। ଆଜିଠାରୁ ପହଣ୍ଡି ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଟିକେଟ୍ କରିଥିବା ଭକ୍ତମାନଙ୍କ ଦର୍ଶନ ପାଇଁ ଦକ୍ଷିଣଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଛି ।

ସେପଟେ  ଚଳିତ ବର୍ଷର ସ୍ନାନଯାତ୍ରା ପାଇଁ ସଂପୃକ୍ତ ସେବାୟତ, ପରିଚାଳନା କମିଟି ଓ ଅଧିକାରୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ଲାଗୁ କରାଯାଇଛି । ବ୍ୟବସ୍ଥାବଳୀ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନୁ ସୁନିଶ୍ଚିତ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରି ଦେଇଛି । ଏଥିପାଇଁ ୩୮ ଟିକିଆ ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି ।