ଚିନ୍ତା ବଢାଇଲା ସାପ କାମୁଡ଼ା ମୂୁତ୍ୟୁ । ଚଳିତ ବର୍ଷ ଗଲାଣି ୬୦୪ ଜଣଙ୍କ ଜୀବନ, ଅନ୍ଧବିଶ୍ୱାସ ଯୋଗୁଁ ରୋଗୀଙ୍କୁ ଗୁଣିଆ ପାଖକୁ ନେଉଛନ୍ତି ଲୋକ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ ସାପ କାମୁଡ଼ା ଇଞ୍ଜେକସନ୍ ।

239

କନକ ବ୍ୟୁରୋ : ସାପ କାମୁଡ଼ା ମୂୁତ୍ୟୁ ଏବେ ଚିନ୍ତାର କାରଣ ପାଲଟିଛି । ଚଳିତବର୍ଷ ୬୦୪ ଜଣ ଲୋକଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇସାରିଲାଣି । ସରକାରଙ୍କ ତଥ୍ୟ ଅନୁସାରେ ୨୦୧୫ରୁ ଆଜି ପର୍ଯ୍ୟନ୍ତ ୩ହଜାର ୪୨୩ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ଧବିଶ୍ୱାସରେ ବଶବର୍ତି ହୋଇ ଏବେ ବି ସାପ କାମୁଡ଼ା ରୋଗୀଙ୍କୁ ଗୁଣିଆ ପାଖକୁ ନେଉଛନ୍ତି । ସେପଟେ ରାଜ୍ୟର ପିଏଚସି ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକସନ୍ ଉପଲବ୍ଧ ହେଉନାହିଁ ।

ଗୁଣିଆକୁ ସାବଧାନ ! ଚିନ୍ତା ବଢ଼ାଉଛି ସାପ କାମୁଡ଼ା । ସାରା ରାଜ୍ୟରେ ସବୁଠୁ ଉଦବେଗଜନକ ସ୍ଥିତିରେ ପହଂଚିଛି ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା । ଯେଉଁ ତଥ୍ୟ ସରକାର ନିଜେ ଦେଇଛନ୍ତି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ୨୦୧୯ରେ ଏପର୍ଯ୍ୟନ୍ତ ରାଜ୍ୟରେ ୬୦୪ଜଣଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ଆଉ ସେଥିମଧ୍ୟରୁ ମୟୁରଭଞ୍ଜରେ ସର୍ବାଧିକ ୩୧୨ଜଣଙ୍କ ମୃତ୍ୟୁ ହୋଇଛି । ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା । ଗଞ୍ଜାମରେ ୨୮୭ଜଣଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ୱରରେ ୨୬୬ ଜଣ ପ୍ରାଣ ହରାଇଛନ୍ତି । କେନ୍ଦୁଝରରେ ମଧ୍ୟ ୨୪୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ।

୨୦୧୮- ୧୯ରେ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା ଥିଲା ୮୮୭ । ସାପ କାମୁଡ଼ାରେ ୨୦୧୫ରୁ ଆଜି ପର୍ଯ୍ୟନ୍ତ ୩ହଜାର ୪୨୩ ଜଣଙ୍କ ମୃତ୍ୟୁ ହୋଇଛି । ସାପ କାମୁଡ଼ାକୁ ସରକାର ସ୍ୱତନ୍ତ୍ର ବିପର୍ଯ୍ୟୟ କହୁଥିବା ବେଳେ ଏବେ ପ୍ରଶ୍ନ ଉଠୁଛି, କାହିଁକି ରୋକି ହେଉନି ସାପ କାମୁଡ଼ା ମୃତ୍ୟୁ ? କାହିଁକି ଅକାଳରେ ମରୁଛନ୍ତି ଲୋକ ?

ସରକାର ମଧ୍ୟ ସ୍ୱୀକାର କରୁଛନ୍ତି ଯେ ସଚେତନତା ଅଭାବରୁ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା ବଢ଼ୁଛି । ସର୍ପାଘାତରେ ଶିକାର ହେଉଥିବା ଲୋକ, ଡ଼ାକ୍ତରଖାନା ନଯାଇ ଗୁଣି ଗାରେଡ଼ିରେ ବିଶ୍ୱାସ ରଖୁଛନ୍ତି । ଚିକିତ୍ସାରେ ବିଳମ୍ବ ହେଉଥିବାରୁ ଅକାଳରେ ଜୀବନ ହରାଉଛନ୍ତି ଲୋକ । ସେପଟେ ରାଜ୍ୟରେ ଆଂଟି ସ୍ନେକ୍ ଭେନମ୍ ବା ସାପ ବିଷ ନିରୋଧକ ଇଞ୍ଜେକସନର ଅଭାବ ରହିଛି । ବିଭିନ୍ନ ପିଏଚସି ଅର୍ଥାତ ପ୍ରାଇମେରୀ ହେଲଥ ସେଂଟରରେ ଏହି ଇଞ୍ଜେକସନ ମିଳୁନାହିଁ । ଗ୍ରାମାଞ୍ଚଳରେ ସର୍ପାଘାତରେ ଶିକାର ହୋଇଥିବା ରୋଗୀ ମେଡ଼ିକାଲକୁ ନଯାଇ ଗୁଣି ଗାରେଡ଼ି ଉପରେ ବିଶ୍ୱାସ ରଖିଥାନ୍ତି । ଏହି ଅନ୍ଧବିଶ୍ୱାସକୁ ରୋକିବାକୁ କଡ଼ା ପଦକ୍ଷେପ ନିଆ ଯାଉନଥିବାରୁ ରୋକି ହେଉନି ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା ।