ପାରାଦ୍ୱୀପରେ ଡେ ଆଟ୍ ସି । ସମୁଦ୍ରରେ ତଟରକ୍ଷା ବାହିନୀର ରଣକୌଶଳ ପ୍ରଦର୍ଶନ, ଯୁଦ୍ଧଜାହାଜ, ବୋଟ ଓ ଉଡାଜାହାଜର କମାଲ ଦେଖିଲେ ଅତିଥି
ପାରାଦ୍ୱୀପରେ ଡେ ଆଟ୍ ସି
କନକ ବ୍ୟୁରୋ : ଭାରତୀୟ ତଟରକ୍ଷୀବାହିନୀ ପାରାଦୀପ ନିକଟରେ ସମୁଦ୍ର ବକ୍ଷରେ ରଣକୌଶଳ ଦେଖାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଉପସ୍ଥିତିରେ ତଟରକ୍ଷୀ ବାହିନୀର ଅତ୍ୟାଧୁନିକ ଯୁଦ୍ଧ ଜାହାଜ, ବୋଟ୍ ଓ ଉଡ଼ାଜାହାଜଗୁଡ଼ିକ ଏହା ପ୍ରଦର୍ଶନ କରିଛନ୍ତି। ‘ଡେ ଆଟ୍ ସି’ କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ସମ୍ମୁଖରେ ତଟରକ୍ଷୀବାହିନୀ ନିଜ ପାରିବାପଣିଆ ଦେଖାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
‘ଡେ ଆଟ୍ ସି’ ପାଇଁ ତଟରକ୍ଷୀ ବାହିନୀ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ଏହା ଦେଖିବା ପାଇଁ ବନ୍ଦର ନିଷିଦ୍ଧାଞ୍ଚଳ ଭିତରେ ନିମନ୍ତ୍ରିତ ସାଧାରଣ ଲୋକେ ଅପେକ୍ଷା କରି ରହିଥିଲେ। କିଛି ସମୟ ପରେ (କୋଷ୍ଟ୍ ଗାର୍ଡ୍ ସିପ୍) ସିଜିଏସ୍ ସୁଜୟ, ବିଜୟ, ସରୋଜିନୀ ନାଇଡ଼ୁ, ଅମୋଘ ଓ ଦୁଇଟି ଅତ୍ୟାଧୁନିକ ବୋଟ୍ ପୋତାଶ୍ରୟରେ ପହଞ୍ଚିଥିଲା। ଏହାପରେ ଲୋକମାନଙ୍କୁ ନେଇ ଜାହାଜ ଓ ବୋଟ୍ଗୁଡ଼ିକ ଆଗପଛ ହୋଇ ସମୁଦ୍ର ଭିତରକୁ ବାହାରିଥିଲେ। ସାଥୀରେ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ। ସମୁଦ୍ରର ଅଥଳ ଜଳରାଶିରେ ସିଜିଏସ୍ ସୁଜୟ, ବିଜୟ, ସରୋଜିନୀ ନାଇଡ଼ୁ ଓ ଅମୋଘ ସହିତ ବୋଟ୍ ଦୁଇଟି ଗତି କରିବା ସହ ରଣକୌଶଳ ଦେଖାଇଥିଲେ।
ଗୁଳି ଗୋଳା ଶବ୍ଦ ସାଙ୍ଗକୁ ଆକାଶମାର୍ଗରେ ଯୁଦ୍ଧବିମାନର ପଇଁତରା ମାରିବା ଦୃଶ୍ୟ କିଛି ସମୟ ପାଇଁ ଯୁଦ୍ଧର ଭ୍ରମ ସୃଷ୍ଟି କରିଥିଲା। ସମୁଦ୍ର ଗର୍ଭ କମ୍ପି ଉଠିଥିଲା ତଟରକ୍ଷୀବାହିନୀର ରଣକୌଶଳ ପ୍ରଦର୍ଶନ ବେଳେ। ନିଜର ଦକ୍ଷତା ଓ ପରାକ୍ରମକୁ ସର୍ବସମ୍ମୁଖରେ ପ୍ରମାଣିତ କରିଥିେଲ ନାବିକମାନେ। ସମୁଦ୍ର ଭିତରେ କିପରି ଶତ୍ରୁକୁ ସାମ୍ନା କରାଯାଏ ତାହାର ଝଲକ ସମସ୍ତେ ଦେଖିଥିଲେ। ରଣକୌଶଳ ପ୍ରଦର୍ଶନବେଳେ ଦ୍ରୁତ ବେଗରେ ଯାଉଥିବା ତିନୋଟି ବୋଟ୍ ମଧ୍ୟରୁ ଜଣକୁ ଶତ୍ରୁ କରି ଅନ୍ୟମାନେ ତାହାକୁ ଘେରି ଯାଉଥିଲେ ଓ ଆକାଶମାର୍ଗରୁ ଏହି ସମୟରେ ଏୟାରକ୍ରାଫ୍ଟ ମଧ୍ୟ ପଇଁତରା ମାରୁଥିଲା। ଏହା ସହ ଜାହାଜରେ ନିଆଁ ଲାଗିଲେ କିପରି ନିୟନ୍ତ୍ରଣ କରାଯାଏ, ସେ କୌଶଳ ମଧ୍ୟ ପ୍ରଦର୍ଶନ କରିଥିଲେ।