ଚୈତ୍ର ମାସର ପ୍ରଚଣ୍ଡ ଖରାରେ ତଳେ ଗଡୁଛନ୍ତି ମାନସିକଧାରୀ । ଗଞ୍ଜାମରେ ଗାଁ ଠୁ ସହର ସବୁଠି ପାଳନ ହେଉଛି ଦଣ୍ଡ ଯାତ୍ରା ।

103

କନକ ବ୍ୟୁରୋ : ଶହ ଶହ ବର୍ଷ ଧରି ପାଳିତ ହୋଇଆସୁଛି ଗଞ୍ଜାମ ଜିଲ୍ଳାରେ ଦଣ୍ଡଯାତ୍ରା । ମାନସିକଧାରୀ ମାନେ ଶରୀରକୁ କଷ୍ଟ ଦେଇ ଇଶ୍ୱର ପ୍ରାପ୍ତି ହେବାର ବିଶ୍ୱାସ ଏଥିରେ ସାମିଲ ହୋଇଥାନ୍ତି । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଦଣ୍ଡୁଆ । ଦଣ୍ଡୁଆମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଜ ଶରୀରକୁ କଷ୍ଟ ଦେଇ ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରିଥାନ୍ତି । ପରମ୍ପରା ସହ ଜଡିତ ଗଞ୍ଜାମ ଜିଲ୍ଲାର ଦଣ୍ଡ ଯାତ୍ରା ।

ଚୈତ୍ର ମାସର ଖରା ମୁଣ୍ଡ ଉପରେ । ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାପକୁ ଭୁକ୍ଷେପ ନକରି ମାଟିରେ ଗଡ଼ୁଛନ୍ତି ମାନସିକଧାରୀ । ଦେହରେ ଗେରୁଆ ବସ୍ତ୍ର ଧାରଣକରି ଗାଁ ଠାରୁ ସହର ଗଞ୍ଜାମ ଜିଲ୍ଲାରେ ଏବେ ସବୁଠି ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ । ଶରୀରକୁ କଷ୍ଟ ଦେଲେ ଇଶ୍ୱର ପ୍ରାପ୍ତିର ବିଶ୍ୱାସ ରହିଥିବାରୁ ମାନସିକଧାରୀମାନେ ଏହାକୁ ଭୂକ୍ଷେପ କରୁନାହାନ୍ତିି । ମାନସିକ ରଖି ଅବା ମାନସିକ ପୂରଣ ହେବା ପରେ ସେମାନେ ଏଭଳି କରିଥାନ୍ତି । ଦିନକରେ ଥରଟେ ଖାଦ୍ୟ ଗ୍ରହଣ କରି ୧୬ ଥର ଦଣ୍ଡ ଭୋଗିଥାନ୍ତି ମାନସିକଧାରୀ । ଦଣ୍ଡୁଆମାନେ ଦୀର୍ଘ ୧୩ ଦିନ ଧରି ବିଭିନ୍ନ ଦଣ୍ଡ ଭୋଗୁଥିଲେ ମଧ୍ୟ ସେମାନଙ୍କୁ ରାତିରେ ବିଶ୍ରାମ ନେବାକୁ ବାରଣ କରାଯାଇଥାଏ ।

ଚୈତ୍ର ମାସରେ ମେରୁ ସଂକ୍ରାନ୍ତିର ୧୩ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ଦଣ୍ଡଯାତ୍ରା । କିଛି ଗାଁରେ ଦଣ୍ଢୁଆମାନେ ୧୮ ଓ ୨୧ ଦିନ ପୂର୍ବରୁ ନିଜ ମନ୍ଦିରରୁ ବାହାରି ବୁଲିଥାନ୍ତି । ଏଥିରେ ଦଣ୍ଡୁଆମାନେ ବିଭିନ୍ନ କୃଷି ସମ୍ବନ୍ଧୀୟ ଦଣ୍ଡ ପରିବେଷଣ କରିଥାନ୍ତିି । ପରେ ପାଣି ଦଣ୍ଡ ଓ ରାତିରେ ଅଗ୍ନି ଦଣ୍ଡ ହୋଥାଏ । ଏହି ଦଣ୍ଡନାଚରେ ହର ପାର୍ବତୀ ଓ ଚମ୍ପା ଗୋଷେଇଁକୁ ପୂଜା କରାଯାଏ । ମାସଟେ ଧରି ରୀତିନୀତି ଅନୁସାରେ ପରିବାର ସହ ପର୍ବ ପାଳନ୍ତ କରନ୍ତି ମାନସିକଧାରୀ । ଏହି ଯାତ୍ରା ଦେଖିବା ସହ ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ମଧ୍ୟ ଜମିଥାଏ । ରାତିରେ ହେଉଥିବା ବିଭିନ୍ନ ସାମାଜିକ ଓ ପୌରାଣିକ ନାଟକ ଦେଖିବାକୁ ଚାହିଁ ବସିଥାନ୍ତି ଦର୍ଶକ । ଏହି ଦଣ୍ଡ ଯାତ୍ରାରେ କଳାକାରଙ୍କ ମଧ୍ୟ ବଡ଼ ଭୂମିକା ରହିଛି । କଳା ପରିବେଷଣ ପାଇଁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ୫୦୦ରୁ ଅଧିକ ଟିମ ଏଠାକୁ ଆସିଥିବା ବେଳେ ହଜାର ହଜାର କଳାକାର ନିଜର କଳା ପଦର୍ଶନ କରଥାନ୍ତି ।