ଦାଦନ ଖଟିବାକୁ ଯାଇ ଫେରିଲା ନାହିଁ ପୁଅ: ଶବକୁ ଗାଁକୁ ପଠାଇବା ପାଇଁ ସହଯୋଗ କରିବା ବଦଳରେ ସେଇଠି କରିଦେଲେ ସଂସ୍କାର

403

କନକ ବ୍ୟୁରୋ: ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଶବ ପାଲଟିଯାଉଛନ୍ତି ଦାଦନ ଶ୍ରମିକ । କେତେବେଳେ ଦଲାଲ ନିର୍ଯ୍ୟାତନାର ଶିକାର ହେଉଛନ୍ତି ତ ପୁଣି କେତେବେଳେ ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ଜୀବନ ଯାଉଛି । ଦାଦନ ମୃତ୍ୟୁ ତାଲିକାରେ ଯୋଡି ହୋଇଛି ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ମାଳିଶିରିପୁର ଗାଁର ଯୁବକ ଉମେଶ ମିଣିଆକାଙ୍କ ନାମ । ତାମିଲନାଡୁରେ ଦାଦନ ଭାବେ କାମ କରୁଥିବା ତାଙ୍କର ମୃତ୍ୟୁ ହୋଇଛି । ଉମେଶଙ୍କ ମୃତ୍ୟୁକୁ ହତ୍ୟା ବୋଲି ସନ୍ଦେହ କରି ନ୍ୟାୟ ପାଇଁ ଜିଲ୍ଲା ଶ୍ରମ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି ।

ଦାଦନ ଖଟିବାକୁ ତାମିଲନାଡୁକୁ ଯାଇ ଫେରିଲା ନାହିଁ ପୁଅ । ବାପା-ମାଆ ଓ ପରିବାର ପୋଷିବା ପାଇଁ ରୋଜଗାର କରିବାକୁ ରାଜ୍ୟ ବାହାରକୁ ଯାଇ ଶବ ପାଲଟିଯାଇଛି ୨୨ ବର୍ଷିୟ ପୁଅ । ମଲା ପରେ ବି ପୁଅକୁ ଦେଖି ପାରିଲେନାହିଁ ବାପା-ମାଆ । ଶବକୁ ଗାଁକୁ ପଠାଇବା ପାଇଁ ସହଯୋଗ କରିବା ବଦଳରେ ସେହି ଠାରେ ସକ୍ରାର କରାଯାଇଛି । ଦାଦନ ମୃତ୍ୟୁ ତାଲିକାରେ ଯୋଡି ହୋଇଛି ମୁନିଗୁଡା ଥାନା ଅନ୍ତର୍ଗତ ମାଳିଶିରିପୁର ଗାଁର ୨୨ ବର୍ଷିୟ ଯୁବକ ଉମେଶ ମିଣିଆକାଙ୍କ ନାମ । ଜୁଲାଇ ୧ରେ ଉମେଶଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ତାରିଖରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକ ତାମିଲନାଡୁରେ ପହଂଚିବା ପରେ ଉମେଶ କାମ କରୁଥିବା କମ୍ପାନୀ କର୍ତୃପକ୍ଷ ମାତ୍ର ୧୫ ହଜାର ଟଙ୍କା ଦେଇଥିବା ବେଳେ ସ୍ଥାନୀୟ ପୁଲିସ ସେଠାରୁ ତଡି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା ବେଙ୍ଗୁ ମିଣିଆକା । ପୁଅକୁ ଯୋଜନା ବଦ୍ଧ ବାବେ ହତ୍ୟା କରାଯାଇଥିବା ଅଭିଯୋଗ କରି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତକଙ୍କ ବାପା  ।

ପ୍ରତିବର୍ଷ ରାୟଗଡା ଜିଲ୍ଲାରୁ ହଜାର ହଜାର ଶ୍ରମିକ ତାମିଲନାଡୁ, କେରଳ, ଆନ୍ଧ୍ର ଓ ସୁରଟ ଯାଉଛନ୍ତି । କାଶିପୁର, କୋଲନରା, ବିଷମକଟକ, ମୁନିଗୁଡା, ଚନ୍ଦ୍ରପୁର ଓ ଗୁଡାରୀ ଅଂଚଳର ଶ୍ରମିକମାନେ ଦଲାଲ ସହଯୋଗରେ ଦାଦନ ଖଟିବାକୁ ଯାଉଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଜିଲ୍ଲାରୁ କେତେ ଶ୍ରମିକ ରାଜ୍ୟ ବାହାରକୁ ଯାଉଛନ୍ତି ତାର ହିସାବ ଜିଲ୍ଲା ଶ୍ରମ ବିଭାଗ ପାଖରେ ନାହିଁ! ତେବେ ଉମେଶ ମିଣିଆକାଙ୍କ କ୍ଷେତ୍ରରେ ଏକ ଟିମ୍ ଗଠନ କରି ତଦନ୍ତ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ କହିଛନ୍ତି  । ରାୟଗଡା ଜିଲ୍ଲାରୁ କେବେ ଦୂର ହେବ ଦାଦନ ସମସ୍ୟା ତାକୁ ହିଁ ଅପେକ୍ଷା କରାଯାଇଛି ।