ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ : ୧୨ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ସଦୃଶ୍ୟ ଲଘୁଚାପ କ୍ଷେତ୍ରର ରୂପ ନେବା ସମ୍ଭାବନା

194

କନକ ବ୍ୟୁରୋ : ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ । ଗତ ୬ ଘଣ୍ଟା ହେବ ଏହା ସ୍ଥିର ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରୀ ଦୁର୍ବଳ ହୋଇ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଗତକାଲି ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁଛି ଅସାନି । ଆଉ ରିକର୍ଭ କରିବା ପରେ ସମୁଦ୍ର ଭିତରେ ଗତି କରୁଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ରହିଥିଲା ।

ସ୍ଥଳ ବିଶେଷରେ ଏହା ୭୫ କିମି ଛୁଇଁଥିଲା । ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା ରହିଛି । ତେବେ ବାତ୍ୟା ଯୋଗୁ ଓଡ଼ିଶାରେ କୌଣସି ପ୍ରଭାବ ପଡ଼ିନାହିଁ । ଆଜି ମାଲିକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞଅଜ ଓ ବାଲେଶ୍ୱରର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ଅସାନି ପ୍ରଭାବରେ ଗତ ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।